ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଶାରଦୀୟ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସ ର ସହ ସମାପନ ପରେ ରେଙ୍ଗାଲିବ୍ଲକ ବିଭିନ୍ନ ଶକ୍ତିପୀଠ ର ଅଧିଷ୍ଠିତ ଦେବୀ ସମଲେଶ୍ବରୀଙ୍କ ବଳିଯାତ୍ରା ମହାସମାରୋହ ରେ ଶାକ୍ତ ବିଧି ର ପ୍ରାଚୀନ ପରମ୍ପରା ଅନୁସାରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଛି । ଶନିବାର ରାତିରେ ମଙ୍ଗଳପୁର, ଗୋଲାମାଲ, ପୁଡାପଡା ର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଙ୍କ ବଳିଯାତ୍ରା ଅନୁଷ୍ଠିତ ହୋଇ ରବିବାର ଉଦଯାପିତ ହୋଇ ଯାଇଛି । ଏହି ଅବସର ରେ ମନ୍ଦିର ରେ ବିଧିମତେ ପୂଜା ହୋମ କରାଯାଇ ପୂଜକ ଧ୍ୟାନମଗ୍ନ ବରୁଆ ଶରୀର ରେ ଦୈବୀଶକ୍ତିର ସଞ୍ଚାର ପାଇଁ ମନ୍ତ୍ର ପ୍ରୟୋଗ କରିଥିଲେ । ମନ୍ତ୍ର ରେ ଦେବୀ ବାହନ ବରୁଆ ଢୋଲ,ନିସାନ,ତାସା, ମହୂରୀ, ଘଣ୍ଟ,ଗିନି ର ସାମୂହିକ ବାଦ୍ୟ ର ତାଳ ରେ ନୃତ୍ୟ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ ପାଇଁ ଗ୍ରାମ ପରିକ୍ରମଣ କରିଥିଲେ । ଦେବୀଙ୍କ ସାକ୍ଷାତ ଅବତାର ରୂପେ ବିବେଚିତ ବରୁଆ କୁ ଘରେ ଘରେ ସ୍ବାଗତ ପୂର୍ବକ ସାତ୍ତ୍ୱିକ ଭୋଗ ଓ ଛେଳି କୁକୁଡା ବଳି ଦିଆଯାଇଥିଲା । ଗ୍ରାମ୍ୟ ପରିକ୍ରମଣ ସାରି ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସର ରେ ଦୈବୀଶକ୍ତିର ଅପସାରଣ ପରେ ଯାତ୍ରା ଉଦ୍ଯାପିତ ହୋଇ ଥିଲା । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

