ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଜମନକିରା ବନାଞ୍ଚଳର ଫୁଲକୁସମ ବିଟ୍ର ବିଭିନ୍ନ ସ୍ଥାନରେ ଏକ ୨୫ ଟିକିଆ ହାତୀପଲର ଗତିବିଧି ଜାରି ରହିଛି। ହାତୀପଲର ଚଳପ୍ରଚଳ ଯୋଗୁଁ କେତେକ ଅଞ୍ଚଳରେ ଚାଷ ଜମିର ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ହାତୀଙ୍କ ସୁରକ୍ଷା ସହ ଜନସାଧାରଣଙ୍କୁ ସତର୍କ କରିବା ଉପରେ ବନ ବିଭାଗ ଗୁରୁତ୍ୱ ଦେଉଛି।ସୂଚନା ଅନୁଯାୟୀ, ଫୁଲକୁସମ ବିଟ୍ର ବଡ଼ମାଳ, ଗୁଣ୍ଡଳପାଣି, କୋଲପାଳ, ଲଦ୍ରୋପାଳ, ଭାଲୁଡ଼ିହି, ଜଟିଆଡ଼ିହି ଓ ବଞ୍ଜରୀ ଆଦି ଅଞ୍ଚଳରେ ହାତୀପଲଙ୍କ ଗତିବିଧି ଦେଖିବାକୁ ମିଳୁଛି। ଏହି ହାତୀପଲରେ ଛୁଆ ହାତୀ ମଧ୍ୟ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ସମ୍ଭାବ୍ୟ ଅଘଟଣ ଏଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉଛି। ହାତୀଙ୍କ ଗତିବିଧି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ହାତୀଙ୍କ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଉଛି। ହାତୀ ଜନବସତି କିମ୍ବା ଚାଷ ଜମି ନିକଟକୁ ଆସିଲେ ନିଜେ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ନକରି ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ କୁହାଯାଉଛି। ଅନ୍ୟପକ୍ଷରେ, ରମେଶ ମୁଣ୍ଡା, ବଣ୍ଟି ନାଏକ, ସରୋଜ ନାୟକ, ସୁରେଶ ମହାକୁଳ, କାର୍ତ୍ତିକ ମୁଣ୍ଡା, ଯଶୋଦା ମୁଣ୍ଡା ଓ ଉକିଆ ମୁଣ୍ଡାଙ୍କ ସମେତ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ହାତୀ-ମଣିଷ ସଂଘର୍ଷ ଏଡ଼ାଇବା ପାଇଁ ବନ ବିଭାଗର ସତର୍କତାମୂଳକ ପଦକ୍ଷେପ ସହ ଜନସାଧାରଣଙ୍କ ସହଯୋଗ ମଧ୍ୟ ଜରୁରୀ ବୋଲି ଏହି ପରିସ୍ଥିତିରୁ ସ୍ପଷ୍ଟ ହେଉଛି। ବନବିଭାଗ ଜନସାଧାରଣଙ୍କ ସହଯୋଗ ପାଇଁ ସବୁବେଳେ ତତ୍ପର ରହିବା ପାଇଁ ତତ୍ପର ରହିଛି I

