ନବରଙ୍ଗପୁର: ୨୬.୧୦.୨୦୨୬,(ଉତ୍କଳ ସମାଚାର)ଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ରଗ୍ବୀ ଚାମ୍ପିଅନ୍ସିପ୍–୨୦୨୬ରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ରଗ୍ବୀ ଦଳ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ସଫଳତାରେ ନବରଙ୍ଗପୁର ଜିଲ୍ଲାର ଛାତ୍ର ରାଜବୀର ଲଛମନଙ୍କ ଅବଦାନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ ହୋଇଛି।ରାଜବୀର ଲଛମନ ନବରଙ୍ଗପୁର ଜିଲ୍ଲାର ବାଗଦୋରିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର। ଜାତୀୟ ସ୍ତରରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରି ସେ ନିଜର କ୍ରୀଡ଼ା ପ୍ରତିଭା, କଠିନ ପରିଶ୍ରମ, ଶୃଙ୍ଖଳା ଓ ଦଳଗତ ମନୋଭାବର ପରିଚୟ ଦେଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲାର ଅନ୍ୟ ଛାତ୍ରଛାତ୍ରୀ ଓ ଯୁବ କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।ଏହି ଗୌରବମୟ ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶଚନ୍ଦ୍ର ମହାଲିକ, ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ଶ୍ରୀକାନ୍ତ ଜାନି, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ପ୍ରଭାତ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ରାଜବୀର, ଓଡ଼ିଶା ଦଳର ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଦଳୀୟ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି

