ନବରଙ୍ଗପୁର,26//10,(ଉତ୍କଳ ସମାଚାର)ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ ବ୍ୟାପକ ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିବା ସହ ବିପର୍ଯ୍ୟୟର ମୁକାବିଲା, ସମନ୍ୱିତ କାର୍ଯ୍ୟପନ୍ଥା, ତ୍ୱରିତ ପ୍ରତିକ୍ରିୟା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ର ଜଗଦଲପୁର ଅଞ୍ଚଳର ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଏନଏମଡିସି କର୍ମଚାରୀ ଏବଂ ଜଗଦଲପୁର ଜିଲ୍ଲାପାଳଙ୍କ ସହ ପୁଣିଥରେ ଏକ ସମନ୍ୱିତ ଆଭାସୀ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।ଏଥିସହ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ ତଥା ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକରେ ନବରଙ୍ଗପୁର ଜିଲ୍ଲାର ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥା ଜିଲ୍ଲାପାଳ ଉପସ୍ଥାପନ କରିଛନ୍ତି।ସୂଚନାଅନୁଯାଇ ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ବାତ୍ୟା ମୁକାବିଲା ତଥା ଜନସାଧାରଣଙ୍କୁ ତ୍ୱରିତ ସହାୟତା ଯୋଗାଇଦେବା ଏବଂ ଜରୁରୀ ପରିସ୍ଥିତିରେ ସମନ୍ୱିତ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲା, ବ୍ଲକ, ତହସିଲ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର, ନବରଙ୍ଗପୁରର ଯୋଗାଯୋଗ ନମ୍ବର ୦୬୮୫୮-୨୨୨୪୩୪। ଜରୁରୀ ସୂଚନା ଗ୍ରହଣ, ତଥ୍ୟ ଆଦାନପ୍ରଦାନ ଓ ବିଭାଗୀୟ ସମନ୍ୱୟ ପାଇଁ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ ରଖାଯାଇଛି।ରାଜ୍ୟ ଜରୁରୀକାଳୀନ ପରିଚାଳନା କାର୍ଯ୍ୟାଳୟ (ଏସଆରସି) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଏଥିସହ ୭ମ SIRBNର ୨ଟି ଓଡ୍ରାଫ୍ ଟିମ୍ କୋଷାଗୁମୁଡ଼ା ବ୍ଲକରେ ଏବଂ ଗୋଟିଏ ଟିମ୍ ନବରଙ୍ଗପୁର ବ୍ଲକରେ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ କର୍ମଚାରୀ ଓ ଯନ୍ତ୍ରପାତି ସହ ୧୨ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାଳକଙ୍କ ସହ ୨୫୧ଟି ଯାନ ଚିହ୍ନଟ କରାଯାଇଛି।ଜିଲ୍ଲାର ବିପଦସଂକୁଳ ବ୍ଲକଗୁଡ଼ିକରେ ପରିସ୍ଥିତିର ତଦାରଖ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ବ୍ଲକୱାରୀ ଓ ଗ୍ରାମ ପଞ୍ଚାୟତୱାରୀ ନୋଡାଲ ଅଧିକାରୀ ଚିହ୍ନଟ କରାଯାଇଛନ୍ତି। ସ୍ଥାନୀୟ ସ୍ତରରେ ସମନ୍ୱୟ ରକ୍ଷା, ପରିସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।ସମ୍ଭାବ୍ୟ ଜଳବନ୍ଦୀ ଓ ଜଳନିଷ୍କାସନ ସମସ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ଡ୍ରେନେଜ୍ ସଫା କରାଯାଇଛି ଏବଂ ବିଭିନ୍ନ ସ୍ଥାନରୁ ବିପଦଜନକ ଗଛ ହଟାଯାଇଛି।ବିଦ୍ୟୁତ୍ ବ୍ୟାକଅପ୍, ପାନୀୟ ଜଳ ଓ ପରିମଳ ଭଳି ଆବଶ୍ୟକୀୟ ସୁବିଧା ସହ ୧୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଥିସହ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। ପ୍ରତ୍ୟେକ ଆଶ୍ରୟ ସ୍ଥଳୀର ପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାର ୨୨ଟି ବିପଦସଂକୁଳ ଗ୍ରାମ ପଞ୍ଚାୟତ ଓ ୬୦ଟି ବିପଦସଂକୁଳ ଗ୍ରାମ ଚିହ୍ନଟ କରାଯାଇଛି।ଜରୁରୀ ପରିସ୍ଥିତିରେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ୩୫ କ୍ୱିଣ୍ଟାଲ ଚୁଡ଼ା ଓ ୩.୫ କ୍ୱିଣ୍ଟାଲ ଚିନିର ବ୍ୟବସ୍ଥା କରାଯାଇଛି। ଏଥିସହ ଜିଲ୍ଲାର ୧୦ଟି ତହସିଲରେ ୨,୦୩୦ଟି ପଲିଥିନ୍ ସିଟ୍ ମହଜୁଦ ରଖାଯାଇଛି। ଆବଶ୍ୟକ ସମୟରେ ଏହି ସାମଗ୍ରୀ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରାଯିବ।ବାତ୍ୟା ସମୟରେ ମାତୃ ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାରେ ୩୨୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି।ସମ୍ଭାବ୍ୟ ବର୍ଷା ଓ ଜଳସ୍ତର ବୃଦ୍ଧିଜନିତ ବିପଦକୁ ଦୃଷ୍ଟିରେ ରଖି ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜଳସ୍ତରରେ ଅସ୍ୱାଭାବିକ ବୃଦ୍ଧି ଘଟିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ଜଳପଥରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଇନ୍ଦ୍ରାବତୀ ଘାଟରେ ଗୋଟିଏ ପାୱାର ବୋଟ୍ ନିୟୋଜିତ କରାଯାଇଛି। ଏଥିସହ ଅଗ୍ନିଶମ ବିଭାଗର ୯ଟି ଡଙ୍ଗା ଉଦ୍ଧାର କାର୍ଯ୍ୟ ପାଇଁ ଉପଲବ୍ଧ ରହିଛି।ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସତର୍କତାର ସହ କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସୁରକ୍ଷା, ତ୍ୱରିତ ସହାୟତା ଓ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା।ଜନସାଧାରଣଙ୍କୁ ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଓ ପରାମର୍ଶ ଅନୁସରଣ କରିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା ଏବଂ ଜରୁରୀ ପରିସ୍ଥିତିରେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି।

