ସମ୍ବଲପୁର,୩୧//୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର–ଝାରସୁଗୁଡ଼ା ରାସ୍ତାର ଶାସନ ରେଳ ଷ୍ଟେସନର ଉଭୟ ପାର୍ଶ୍ୱରେ ନିର୍ମିତ ଦୁଇଟି ରେଳ ଣ୍ଡରପାସ୍ରେ ଯାତାୟାତ ଓ ସୁରକ୍ଷା ସମସ୍ୟା ନେଇ ଅଭିଯୋଗ ହୋଇଛି। ଏହି ସମସ୍ୟା ସମାଧାନ ପାଇଁ ରେଳ ବିଭାଗ ତୁରନ୍ତ ପଦକ୍ଷେପ ନେଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ଭାଲୁବାହାଲସ୍ଥିତ ଜେଟି-୧୯ ରେଳ ଫାଟକ ବନ୍ଦ କରାଯାଇ ବିକଳ୍ପ ଭାବେ ନିର୍ମିତ ଏଲ୍ଏଚ୍ଏସ୍ ଣ୍ଡରପାସ୍ର ରାସ୍ତା ନିମ୍ନ ଓ ସଂକୀର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ବର୍ଷସାରା ରାସ୍ତାରେ ପାଣି ଜମିବା, କାଦୁଅ ଓ ଖାଲଖମା ଯୋଗୁଁ ଯାତାୟାତରେ ଅସୁବିଧା ହେଉଛି। ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ଚୋରି ଓ ଲୁଟ୍ପାଟର ଆଶଙ୍କା ବଢ଼ୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି।ସେହିପରି ରାଣୀଖିଣ୍ଡାସ୍ଥିତ ବ୍ରିଜ୍ ନମ୍ବର ୪୮କୁ ଚଉଡ଼ା କରାଯାଇଥିଲେ ମଧ୍ୟ ସେଠାରେ ଆଲୋକ ବ୍ୟବସ୍ଥା ନାହିଁ। ଫଳରେ ସେଠାରେ ଲୁଟ୍ପାଟ ଓ ମାଡ଼ପିଟ୍ ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଡିଆର୍ଏମ୍ଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ପ୍ରତିକାରମୂଳକ ବ୍ୟବସ୍ଥା ହୋଇନଥିବା କୁହାଯାଇଛି।ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଅଣ୍ଡରପାସ୍ର ତ୍ରୁଟି ସୁଧାରିବା ସହ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବାକୁ ଶାସନ ଷ୍ଟେସନ ପରାମର୍ଶଦାତା କମିଟି ଓ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ଦାବି କରିଛନ୍ତି। ମଞ୍ଚର ସଭାପତି, ସମାଜସେବୀ ତଥା ପ୍ରକୃତିବନ୍ଧୁ ଡକ୍ଟର ବଂଶୀଧର କର ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

