ସମ୍ବଲପୁର,୩୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ ସହ ସପ୍ତମ ଲୋକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲୋକନୀତି ଓ ପ୍ରଶାସନ କେନ୍ଦ୍ର ପକ୍ଷରୁ ଶନିବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବକ୍ତୃତାର ବିଷୟବସ୍ତୁ ଥିଲା—‘ରାଷ୍ଟ୍ରୀୟ ଏକାତ୍ମତା, ଜାତୀୟ ଏକତା ଓ ସର୍ଦ୍ଦାର ପଟେଲ’।ସମ୍ମାନିତ ବକ୍ତା ଭାବେ ଏକାତ୍ମ ମାନବ ଦର୍ଶନ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନର ସଭାପତି ପ୍ରଫେସର ମହେଶ ଚନ୍ଦ୍ର ଶର୍ମା ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ସମ୍ବିଧାନ ପ୍ରଣୟନ ଏବଂ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଡ. ସିଂହ ଶୁଭଲକ୍ଷ୍ମୀ ବାଇଧରଙ୍କ ପରିଚାଳନାରେ ହୋଇଥିବା ସମାବେଶରେ ଡ. କେଶବ ଚନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସ୍ୱାଗତ ଭାଷଣରେ ସର୍ଦ୍ଦାର ପଟେଲଙ୍କ ଜୀବନ, ଦର୍ଶନ ଓ ଅବଦାନ ବିଷୟରେ କହିଥିଲେ।ଏହି ଅବସରରେ ଜିଏମ୍ୟୁ ସିଣ୍ଡିକେଟ୍ ସଦସ୍ୟ ଡ. ଡମ୍ବରୁଧର ପଟ୍ଟନାୟକଙ୍କ ରଚିତ ସାଂସ୍କୃତିକ ରାଷ୍ଟ୍ରବାଦର ଜ୍ଞାନକୋଷ ଆଧାରିତ ଏକ ଇଂରାଜୀ ପୁସ୍ତକ ଉନ୍ମୋଚିତ ହୋଇଥିଲା।କାର୍ଯ୍ୟକ୍ରମରେ ଡ. ଜ୍ଞାନ ରଞ୍ଜନ ସ୍ୱାଇଁ, ଡ. ପ୍ରିୟଦର୍ଶୀ ଯୋଶୀ, ସୁରଜ କୁମାର ବୈଦିକ, ବନିତା ମହାନନ୍ଦ, ପ୍ରଳୟ ଓଝା ଓ ଅନୁରଞ୍ଜନ ଟେଟେ ସହଯୋଗ କରିଥିଲେ। ଏଥିରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇଥିଲେ।

