ନବରଙ୍ଗପୁର, ତାରିଖ: ୩୧.୧୦.୨୦୨୬:(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ର ଉଦ୍ଯାପନୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସକୁ ମିଳିତ ଭାବେ ପାଳନ କରାଯାଇ ଏକ ବିଶାଳ ସଚେତନତା ରାଲିର ଆୟୋଜନ କରାଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆମ୍ବେଦକର ଛକଠାରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ପତାକା ଦେଖାଇ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ରାଲିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ଦୁର୍ନୀତି ବିରୋଧରେ ଜନସଚେତନତାର ବାର୍ତ୍ତା ପ୍ରସାର କରିଥିଲେ। ରାଲିଟି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ପହଞ୍ଚିଥିଲା।ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ମାଝୀଙ୍କ ଦ୍ୱାରା ଜାତୀୟ ଏକତା ଦିବସ, ନିଶାମୁକ୍ତ ଅଭିଯାନ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନିମନ୍ତେ ଶପଥ ପାଠ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଶପଥ ଗ୍ରହଣ କରି ସମାଜରେ ଏକତା, ଶୃଙ୍ଖଳା, ନିଶାମୁକ୍ତ ଜୀବନ ଓ ସ୍ୱଚ୍ଛ ପ୍ରଶାସନ ପ୍ରତିଷ୍ଠା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ଏକ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ଦୁର୍ନୀତିର କୁପରିଣାମ, ସାଧାରଣ ଜନତାଙ୍କ ଭୂମିକା ଏବଂ ସଚ୍ଚୋଟତା ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ପରବର୍ତ୍ତୀ ସମୟରେ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଉଦ୍ଯାପନୀ ସମାରୋହ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିମୁକ୍ତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସଚ୍ଚୋଟତା ବଜାୟ ରଖିବା ସହ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ମନୋଭାବ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ। ବିଶେଷକରି ଯୁବପିଢ଼ି ନିଜ ଜୀବନରେ ସତ୍ୟନିଷ୍ଠା ଓ ନୈତିକତାକୁ ଗୁରୁତ୍ୱ ଦେଇ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନରେ ସହଭାଗୀ ହେବାକୁ ସେ ପରାମର୍ଶ ଦେଇଥିଲେ।ସଭାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କିତ ସଚେତନତାମୂଳକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ଜନସଚେତନତାର ବାର୍ତ୍ତା ଉପସ୍ଥିତ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା।ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହା ତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚ୍ଚୋଟତା, ନୈତିକତା ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା।ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ନବରଙ୍ଗପୁର ଶ୍ରୀ ରାଜୀବ କୁମାର ସାହୁ, ବିଡିଓ ଶ୍ରୀ ସୁନୀଲ ଖୋରା, ତହସିଲଦାର ଶ୍ରୀ ଭୋଳେଶ୍ୱର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏଥିସହ ଭିଜିଲାନ୍ସ ବିଭାଗର ଇନ୍ସପେକ୍ଟର ଶ୍ରୀ ଭୀମସେନ ପୂଜାରୀ, ଶ୍ରୀ ସଞ୍ଜୟ କୁମାର ସାହୁ, ଶ୍ରୀ ଜି. ସୂର୍ଯ୍ୟ ପ୍ରକାଶ ଏବଂ ଶ୍ରୀ ଦିବ୍ୟନନ୍ଦ ବେହେରା ମଧ୍ୟ ଯୋଗଦେଇଥିଲେ।ଶେଷରେ ଭିଜିଲାନ୍ସ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ପରିଚାଳନା କରିଥିଲେ

