ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଉଦ୍ଘାଟନ ହେଲା, ଫଳକ ଲାଗିଲା, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ଜନସାଧାରଣଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା! ୨୧.୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମ୍ବଲପୁରର ଆଧୁନିକ ଟ୍ରମା କେୟାର ସେଣ୍ଟର ଗଲା କୁଆଡ଼େ? ଏହି ପ୍ରଶ୍ନ ଉଠାଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ସୋମବାର ସମ୍ବଲପୁର ଟାଉନ୍ ଥାନାରେ ଏକ ନିଆରା ପ୍ରତିବାଦ ସହ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।ଗତ ୧୧ ଜାନୁଆରୀ ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ଆଧୁନିକ ଟ୍ରମା କେୟାର ସେଣ୍ଟର ଏଯାଏଁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇନଥିବା ପ୍ରସଙ୍ଗକୁ ନେଇ ସହରର ବୁଦ୍ଧିଜୀବୀ, ଶ୍ରମିକ ନେତା, ଚାଷୀ ନେତା, ଯୁବକ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକମାନେ ଏକାଠି ହୋଇଥିଲେ।ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ପ୍ରୋଗ୍ରେସିଭ୍ ସମ୍ବଲପୁରର ଆବାହକ ସଞ୍ଜିତ ମହାନ୍ତି, ହିନ୍ଦ୍ ମଜଦୂର ସଭା ଉପସଭାପତି ଗୋକୁଳ ମେହେର, ସିଟୁ ର ବରିଷ୍ଠ ନେତା ଗଦାଧର କୁଅଁର, ସମାଜସେବୀ ମହମ୍ମଦ ସନୱାଳା ଟାଉନ୍ ଥାନାରେ ଏହି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଥାନାର ଆଇଆଇସି ସୁବ୍ରତ କୁମାର ମେହେର ଅଭିଯୋଗପତ୍ର ଗ୍ରହଣ କରିଥିଲେ।ଅଭିଯୋଗରେ ପ୍ରଶ୍ନ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ୨୧.୨୮ କୋଟି ଟଙ୍କାର ଏହି ଜନସ୍ୱାସ୍ଥ୍ୟ ସମ୍ପତ୍ତି କେଉଁଠି ରହିଛି? ଏହାର ଡାକ୍ତର, କର୍ମଚାରୀ ଓ ଜରୁରୀକାଳୀନ ସେବା କାହିଁକି ଉପଲବ୍ଧ ନାହିଁ? କେହି କ’ଣ ଏହାର କାର୍ଯ୍ୟକ୍ଷମତା ଚୋରି କରିନେଇଛି? ନା ଏହା କେବଳ ଉଦ୍ଘାଟନୀ ଫଳକରେ ସୀମିତ ହୋଇ ରହିଯାଇଛି? ଏକ ଆଧୁନିକ ଟ୍ରମା କେୟାର ସେଣ୍ଟରର ପରିଚାଳନା ପାଇଁ ଆନାସ୍ଥେସିଆ ବିଶେଷଜ୍ଞ, ମେଡିସିନ୍ ବିଶେଷଜ୍ଞ, ଅର୍ଥୋପେଡିକ୍ ଡାକ୍ତର, ତାଲିମପ୍ରାପ୍ତ ଟେକ୍ନିସିଆନ୍ ଓ ନର୍ସଙ୍କ ୨୪ ଘଣ୍ଟିଆ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ। ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଏହି କେନ୍ଦ୍ରର ମୂଳ ଉଦ୍ଦେଶ୍ୟ। ତେଣୁ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର, ନର୍ସ ଓ ଟେକ୍ନିସିଆନ୍ କାହାନ୍ତି ଏବଂ କେବେଠାରୁ ୨୪×୭ ସେବା ଆରମ୍ଭ ହେବ, ତାହାର ଉତ୍ତର ସ୍ୱାସ୍ଥ୍ୟ ବିଭାଗ ଦେବାକୁ ଦାବି ହୋଇଛି।ସମ୍ବଲପୁର ସହିତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ପାଇଁ ଏହି ଟ୍ରମା କେୟାର ସେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କେନ୍ଦ୍ର ହେବାର ଆଶା ରହିଥିଲା। ମାତ୍ର ଉଦ୍ଘାଟନର ଦୀର୍ଘ ସମୟ ପରେ ମଧ୍ୟ ଏହାର ପୂର୍ଣ୍ଣାଙ୍ଗ ସେବା ଆରମ୍ଭ ନହେବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ପ୍ରଗତିଶୀଳ ନାଗରିକ ମଞ୍ଚର ଗୋକୁଳ ମେହେର, ଗଦାଧର କୁଅଁର, ସାମ୍ବାଦିକ ଶିବଶଙ୍କର ନନ୍ଦ, ପ୍ରିୟରଞ୍ଜନ ସାହୁ, ଚାଷୀ ନେତା ସରୋଜ ମହାନ୍ତି, ଶ୍ରମିକ ନେତା ଭି. ରାମ ରାଓ, ଲଳିତ ପଟ୍ଟନାୟକ, ଅରୁଣ କୁମାର ଖୁଣ୍ଟିଆ, ସାମ୍ବାଦିକ ସରୋଜ ସାହୁ, ଶ୍ରମିକ ନେତା ମହେଶ୍ୱର ଷଣ୍ଢ, ଅଶୋକ ପଟେଲ, ମହେଶ ସାଇତା, ପ୍ରଶାନ୍ତ ଥାପା, ବାଲ୍ମୀକି ନାୟକ, ମହମ୍ମଦ ସନାୱାଲା ଯୁବ ନେତା ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ସ୍ୱାଧୀନ ପଣ୍ଡା, ଦୁଲାଲ ଚନ୍ଦ୍ର ରାୟ, ନିଖିଳ ବାବୁ, ପ୍ରଜ୍ବଲ ଧରୁଆ, ପ୍ରଭାତ ବେହେରା, ସ୍ପନ୍ଦନ କୁମାର ନନ୍ଦ, ସତ୍ୟମ ପୂଜାରୀ, ଭାସ୍କର ନାଏକ, ବିଜୟ କୁମାର ସାହୁ, ତପନ ସେଠଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ।

