ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ବରିଷ୍ଠ କ୍ୟାମେରାମ୍ୟାନ୍ ସୁଧାଂଶୁ କୁମାର ପୃଷ୍ଟି ଓ ଶ୍ରୀମତୀ ମମତା ଚୌଧୁରୀଙ୍କ ଏକମାତ୍ର ଯୁବ ପୁତ୍ର ସତ୍ୟ ସୌରଭଙ୍କ ଗତ ସେପ୍ଟେମ୍ବର ୨୫ ତାରିଖରେ ଅକାଳ ବିୟୋଗ ଘଟିଥିଲା। ପୁତ୍ର ଶୋକରେ ମ୍ରିୟମାଣ ପୃଷ୍ଟି ଦମ୍ପତି ଆଜି ତାଙ୍କର ଦିବଙ୍ଗତ ପୁତ୍ରଙ୍କ ୩୦ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।ସ୍ଥାନୀୟ ଶାସନ ଭାଲୁବାହାଲସ୍ଥିତ ଏକାମ୍ର ବିହାର ନୀଳଚକ୍ର କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳ ଚାରା ରୋପଣ କରି ସେମାନେ ଦିବଙ୍ଗତ ପୁତ୍ରଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କୁନି କୁନି କନ୍ୟାରତ୍ନଙ୍କ ଗହଣରେ ମିଷ୍ଟାନ୍ନ ବଣ୍ଟନ କରିବା ସହ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଥିସହିତ ଉପହାର ସ୍ୱରୂପ ଚାରା ବୃକ୍ଷ ପ୍ରଦାନ କରି ପରିବେଶ ସୁରକ୍ଷାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ।ପୁତ୍ରଙ୍କ ସ୍ମୃତିକୁ ଅମର କରିବା ସହ ପରିବେଶ ସୁରକ୍ଷା ଓ ସାମାଜିକ ସେବାକୁ ଏକାଠି କରି ପୃଷ୍ଟି ଦମ୍ପତିଙ୍କ ଏହି ମହତ୍ କାର୍ଯ୍ୟ ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି।ଏହି ମହତ୍ କାର୍ଯ୍ୟରେ ବିଶିଷ୍ଟ ସମାଜସେବୀ ତଥା ପ୍ରକୃତିବନ୍ଧୁ ଡକ୍ଟର ବଂଶୀଧର କର, ସମାଜସେବୀ ତଥା ପ୍ରକୃତିବନ୍ଧୁ ଇଂ. ଦେବାଶିଷ ସାହୁ, ପଣ୍ଡିତ ଶରତ ଚନ୍ଦ୍ର ରଥ, ତେଜରାଜ ପଣ୍ଡା, ସୁନୀତା ଗର୍ଡିଆ, ସଚିଦାନନ୍ଦ ପ୍ରଧାନ, ଚତୁର୍ଭୁଜ ଗର୍ଡିଆ, ଚୁମୁକି ବୈଠାରୁ ଓ ଜିତେଶ ବୈଠାରୁ ପ୍ରମୁଖ ସହଯୋଗ କରିଥିଲେ

