ରାଉରକେଲା,୬/୧୧(ଉତ୍କଳ ସମାଚାର):ଧନତେରସ ଓ ଦୀପାବଳିକୁ ନେଇ ରାଉରକେଲା ସହର ସମେତ ଇସ୍ପାତ ଅଞ୍ଚଳର ସୁନା ଦୋକାନ, ବାସନ ଦୋକାନ, ଲୁଗା ଦୋକାନ ଏବଂ ପୂଜା ସାମଗ୍ରୀ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଖାସକରି ଧନତେରସ ଦିନ ସୁନା କିଣିବା ସହ ବାସନ କିଣିବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ଦିନ ଲୋକମାନେ ନିଜ ଘର ପାଇଁ ସୁନା-ରୂପା ଗହଣା ସହ ନୂଆ ବାସନ, ଝାଡ଼ୁ ଏବଂ ପୂଜା ସାମଗ୍ରୀ କିଣିଥାନ୍ତି। ଧନତେରସ ଦିନ ସୁନା ଓ ବାସନ କିଣିବାକୁ ଶୁଭ ମନେକରାଯାଉଥିବାରୁ, ଆଜି ରାଉରକେଲା ସହରର ଡେଲି ମାର୍କେଟ୍, ଟ୍ରାଫିକ୍ ମାର୍କେଟ୍, ବାସନ୍ତୀ କଲୋନୀ ମାର୍କେଟ୍, ପାନପୋଷ ମାର୍କେଟ୍, ଇସ୍ପାତ ମାର୍କେଟ୍, ଆମ୍ବବାଗାନ ମାର୍କେଟ୍, ଫର୍ଟିଲାଇଜର୍ ମାର୍କେଟ୍, ତାରକେରା ମାର୍କେଟ୍, ବେଦବ୍ୟାସ ଛକ ମାର୍କେଟ୍, ଛାନ୍ଦ ମାର୍କେଟ୍ ସମେତ ଅନ୍ୟାନ୍ୟ ବଜାରଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ଅନ୍ୟପଟେ ରାଉରକେଲା ସହରରେ ଆଜି ଧନତେରସ ଦିନ ଝାଡ଼ୁର ବହୁତ ବିକ୍ରି ଦେଖାଯାଇଥିଲା, ଖାସକରି ଗୃହିଣୀମାନେ ଝାଡ଼ୁ କିଣୁଥିବାର ନଜର ଆସିଥିଲେ। ସେହିପରି ବାସନ ଦୋକାନ ଓ ସୁନା ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମିଥିଲା ଏବଂ ମିଠା ଦୋକାନଗୁଡ଼ିକରୁ ମଧ୍ୟ ଲୋକମାନେ ସାମଗ୍ରୀ କିଣୁଥିବାର ଦେଖାଯାଇଥିଲା। ସହରର ମୁଖ୍ୟ ରାସ୍ତା ସମେତ ବଜାରଗୁଡ଼ିକରେ ଲୋକଙ୍କର ବହୁତ ଭିଡ଼ ରହିଥିଲା। ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଟ୍ରାଫିକ୍ ପୋଲିସ କର୍ମଚାରୀମାନେ ମୁଖ୍ୟ ରାସ୍ତାରେ ମୁତୟନ ଥିବା ବେଳେ ପୋଲିସ ଯବାନମାନେ ବିଭିନ୍ନ ଛକବଜାରରେ ମୁତୟନ ଥିଲେ।
