ସମ୍ବଲପୁର,୧୧/୧୧,(ଉତ୍କଳ ସମାଚାର),(ସରୋଜ ସାହୁ):):ଶାସକ ବିଜେପି ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାମରେ ଆୟୋଜିତ ପଦଯାତ୍ରାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ପଣ୍ଡା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ନିଜ ସରକାର ବିରୋଧରେ ଏଭଳି ପଦଯାତ୍ରା କରିବାର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ଯଦି ଅରାଜକତା ରହିଛି, ତେବେ ଏଥିପାଇଁ ଦାୟୀ କିଏ? ଶାସନ ବ୍ୟବସ୍ଥାରେ ଶୃଙ୍ଖଳା, ସ୍ୱଚ୍ଛତା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ନୁହେଁ କି? ନିର୍ବାଚନ ପରେ ଇଭିଏମ୍ ଥିବା ଷ୍ଟ୍ରଙ୍ଗ୍ ରୁମ୍ରେ ଅଗ୍ନିକାଣ୍ଡ ଏବଂ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ସମୟରେ ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଭଳି ଘଟଣା ଶାସନ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଲୋକତନ୍ତ୍ରର ସୁରକ୍ଷା କେବଳ ସ୍ଲୋଗାନ କିମ୍ବା ପଦଯାତ୍ରାରେ ସୀମିତ ରହିବା ଉଚିତ ନୁହେଁ। ଶାସନରେ ଜବାବଦେହିତା, ଜନସମସ୍ୟାର ସମାଧାନ, ଯୁବକଙ୍କୁ ନିଯୁକ୍ତି ଏବଂ ସାଧାରଣ ଲୋକଙ୍କ ଅଧିକାରର ସୁରକ୍ଷା ମାଧ୍ୟମରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ତେଣୁ ବିଜେପି ପ୍ରଥମେ ନିଜ ଶାସନର ସମୀକ୍ଷା କରି ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ ବୋଲି ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି
