ସମ୍ବଲପୁର,୧୩/୧୧,(ଉତ୍କଳ ସମାଚାର)(ଭୂମି ଏକ୍ସପ୍ରେସ): ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଗୋଶାଳାସ୍ଥିତ ଆର୍ଏମ୍ସି ପରିସରରେ ବ୍ଲକସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬’ ଆୟୋଜିତ ହୋଇଯାଇଛି। ଏହି ମେଳାରେ ୪୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ, ମତ୍ସ୍ୟଚାଷୀ, ପ୍ରାଣୀପାଳକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।ଉଦ୍ଘାଟନୀ ସମାରୋହରେ ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ଚିପିଲିମାସ୍ଥିତ ପଶୁ ପ୍ରଜନନ ଫାର୍ମର ଯୁଗ୍ମ ନିର୍ଦ୍ଦେଶକ ଡଃ ରାଜୀବ ଶର୍ମା ଏବଂ ସମ୍ବଲପୁରର ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପୁଲିନ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ମେଳାର ଶୁଭାରମ୍ଭ କରିଥିଲେ। ଏହାପୂର୍ବରୁ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ମତ୍ସ୍ୟଚାଷ, ପ୍ରାଣୀପାଳନ ଓ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପଦ୍ଧତି, ସରକାରୀ ଯୋଜନା ଓ ଜୀବିକାଭିତ୍ତିକ ସୁଯୋଗ ସମ୍ପର୍କରେ ଚାଷୀ ଓ ହିତାଧିକାରୀଙ୍କୁ ସଚେତନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହ ବିଭିନ୍ନ ବିଭାଗର ସେବା ଓ ଯୋଜନାକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ମେଳା ପରିସରରେ ମୋଟ ୧୫ଟି ଷ୍ଟଲ୍ ଖୋଲାଯାଇଥିଲା।ଏହି ଷ୍ଟଲ୍ଗୁଡ଼ିକ ମାଧ୍ୟମରେ ବିଭିନ୍ନ ବିଭାଗର ଯୋଜନା, ସେବା, ଉତ୍ପାଦ ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା।ମେଳାରେ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଅନ୍ୟତମ ଆକର୍ଷଣ ଥିଲା। ନିକଟସ୍ଥ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମେଳାରେ ଯୋଗଦେଇ ବିଭିନ୍ନ ବିଭାଗର ଷ୍ଟଲ୍ ପରିଦର୍ଶନ କରିଥିଲେ। ଏହାସହ ମତ୍ସ୍ୟଚାଷ, ପ୍ରାଣୀପାଳନ, କୃଷି, ଉଦ୍ୟାନ କୃଷି ଓ ଅନ୍ୟାନ୍ୟ ଜୀବିକାଭିତ୍ତିକ କାର୍ଯ୍ୟକଳାପ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡଃ କ୍ଷୀରୋଦ ଚନ୍ଦ୍ର ପଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଧନକଉଡ଼ା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

