ନବରଙ୍ଗପୁର, ୧୩.୧୧.୨୦୨୬:(ଉତ୍କଳ ସମାଚାର) ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନ, ନବରଙ୍ଗପୁରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି।ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପାଢ଼ୀ ଯୋଗଦେଇଥିବାବେଳେ ରାଜ୍ୟସ୍ତରୀୟ ସାଧନକର୍ମୀ ତଥା ଭାଷାବିତ୍ ଶ୍ରୀ ପରମେଶ୍ୱର ମୁଣ୍ଡ, ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଡ. ବିପ୍ଳବ ରଞ୍ଜନ ପ୍ରଧାନ ଓ ଶ୍ରୀ ପ୍ରଶାନ୍ତ କୁମାର ନାୟକ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ନଭେମ୍ବର ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରୁ ୧୫୦ରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ଅଂଶଗ୍ରହଣ କରି ସରକାରୀ ନଥି ପ୍ରସ୍ତୁତି, ଚିଠିପତ୍ର ଓ ଦସ୍ତାବିଜ ଲିଖନ, ଓଡ଼ିଆ ଭାଷାରେ ଟିପ୍ପଣୀ ଓ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦାବଳୀର ବ୍ୟବହାର ତଥା ଦୈନନ୍ଦିନ ଦପ୍ତରୀୟ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ନେଇଥିଲେ।ଉଦ୍ଯାପନୀ ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ଏବଂ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ଘାସିଆ ହରିଜନ ଉପସ୍ଥିତ ରହି ସମସ୍ତ ସରକାରୀ ଚିଠିପତ୍ର, ନଥିପତ୍ର ପ୍ରସ୍ତୁତି ଓ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସେମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ପ୍ରଶିକ୍ଷଣ ଶିବିରର ପରିଚାଳନାରେ ଶ୍ରୀ ଆତ୍ମପ୍ରକାଶ ଏବଂ ଶ୍ରୀ ସନ୍ତୋଷ କୁମାର ସହଯୋଗ କରିଥିଲେ

