ରାଉରକେଲା ୧୮/୧୧,(ଉତ୍କଳ ସମାଚାର) ରାଉରକେଲା ଏକ୍ସସାଇଜ ଜିଲ୍ଲା ଅଧୀନରେ ଆସୁଥିବା ରାଉରକେଲା, ରଘୁନାଥପାଲ୍ଲୀ ଏବଂ ଲହୁଣୀପଡ଼ାର ପ୍ରତ୍ୟେକ ୱାର୍ଡ, ବସ୍ତି ଏବଂ ଗ୍ରାମ ଗୁଡିକରେ ଦେଶୀ ମଦ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞାପନ (ନୋଟିସ)କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆଜି ସୁନ୍ଦରଗଡ ଜିଲ୍ଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ତା ୨୩.୧୦.୨୦୨୬ ରିଖ ଦିନ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞାପନ ଯାହାର ପତ୍ର ସଂଖ୍ୟା ୨୨୦୯ ତାରିଖ ୨୩.୧୦.୨୦୨୬ରୁ ଜଣାପଡିଥିଲା ଯେ, ରାଉରକେଲା, ରଘୁନାଥପାଲ୍ଲୀ ଏବଂ ଲହୁଣୀପଡ଼ା ଅଧୀନରେ ଆସୁଥିବା ପ୍ରତ୍ୟେକ ୱାର୍ଡ, ବସ୍ତି ଏବଂ ଗ୍ରାମଗୁଡିକରେ ଦେଶୀ ମଦ ଦୋକାନ ଓ ମଦ ଭାଟି ଖୋଲିବା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଦିନ ମଜୁରିଆ, ଶ୍ରମିକ, ଛୋଟ ଛୋଟ ପିଲାମାନେ ଏବଂ ଦଳିତ ଆଦିବାସୀ ଏହାଦ୍ବାରା ବର୍ବାଦ ହୋଇଯିବେ। ଗ୍ରାମାଞ୍ଚଳର ନିରୀହ ଜନସାଧାରଣଙ୍କୁ ଶୋଷଣ କରିବାପାଇଁ ସରକାର ଏହି ଦେଶୀ ମଦ ଭାଟି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ। ଓଡିଶା ସରକାର ଏହି ଦେଶୀ ମଦ ଭାଟି ମାଧ୍ୟମରେ ଭଲ ରାଜସ୍ବ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି | ସମ୍ବିଧାନର ପଞ୍ଚମ ଅନୁସୂଚୀରେ ଆଦିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି, ଆଦିବାସୀମାନଙ୍କ ଜମିଜମା ସୁରକ୍ଷା ପାଇଁ ଓଡିଶା ରେଗୁଲେସନ-୨, ୧୯୫୬ ଆଇନ ରହିଛି। ଏଭଳି ଆଦିବାସୀମାନଙ୍କୁ ଶୋଷଣ, ଅନ୍ୟାୟ ଅତ୍ୟାଚାର ଏବଂ ନିର୍ଯ୍ୟାତନାରୁ ସୁରକ୍ଷା ଦେବା ପାଇଁ ଦଳିତ ଆଦିବାସୀ ନିଯ୍ୟାତନା ନିବାରଣ ଆଇନ – ୧୯୮୯ ରହିଛି ସେହିଭଳି ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଆଦିବାସୀମାନଙ୍କ ସ୍ବଶାସନ ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ଏବଂ ତାଙ୍କ ପାରମ୍ପରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ୧୯୯୬ ମସିହାରେ କେନ୍ଦ୍ର ସରକାର ପେସା ଆଇନ ପ୍ରଣୟନ କରିଛନ୍ତି। “ପେସା ଆଇନ-୧୯୯୬ର ଧାରା-4(m)(i) ଅନୁଯାୟୀ ଅନୁସୂଚିତ ଜିଲ୍ଲାମାନଙ୍କରେ ନିଶା ନିବାରଣ ଲାଗୁ କରିବା ବା କୌଣସି ମାଦକ ଦ୍ରବ୍ୟର ବିକ୍ରି ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ବା କଟକଣା ଜାରି କରିବାର କ୍ଷମତା ଗ୍ରାମସଭାର ରହିଛି। ସୁନ୍ଦରଗଡ ଜିଲ୍ଲାପାଳ ପେସା ଆଇନ-୧୯୯୬ର ପ୍ରାବଧାନ ଗୁଡିକୁ ଉଲଂଘନ କରି ଆଦିବାସୀ ଅଧ୍ଯୁଷିତ ଅଂଚଳରେ ଦେଶୀ ମଦ ଭାଟି ଖୋଲିବା ବେଆଇନ ହୋଇଥିବା ସତ୍ତ୍ବେ ଜିଲ୍ଲାପାଳ ନିଜେ ଆଦିବାସୀ ବହୁଳ ଇଲାକାରେ ଦେଶୀ ମଦ ଭାଟି ସ୍ଥାପନ କରି ଆଦିବାସୀମାନଙ୍କୁ ଆର୍ଥିକ, ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଏବଂ ଶୋଷଣ କରି ତାଙ୍କୁ ବର୍ବାଦ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି। ଓଡିଶା ସରକାର ସବୁକିଛି ଜାଣିଶୁଣି ଆଦିବାସୀ ଇଲାକାରେ ଦେଶୀ ମଦ ଭାଟି ଖୋଲିବା ପାଇଁ ଅନୁମତି ପ୍ରଦାନ କରୁଛନ୍ତି | ଓଡିଶା ସରକାର ବ୍ରିଟିଶ ଶାସନର ନୀତି ଅବଲମ୍ୱନ କରୁଛନ୍ତି | ଓଡିଶା ସରକାର ଆଦିବାସୀମାନଙ୍କର ପାରମ୍ପରିକ ବ୍ୟବସ୍ଥାକୁ ଧ୍ବଂସ କରିବାପାଇଁ ଯୋଜନା ଚଳାଇଛନ୍ତି | ଓଡିଶା – ସରକାର ଆଦିବାସୀମାନଙ୍କ ସ୍ବାଧୀନ ଚିନ୍ତାଧାରାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଗୋଟିଏ ପଟେ ଓଡିଶା ସରକାର ମଦମୁକ୍ତ ସୁସ୍ଥ ସମାଜ ଗଠନ କରିବା ପାଇଁ ଘୋଷଣା କରୁଥିବା ବେଳେ ଅନ୍ୟପଟେ ଦେଶୀ ମଦ ଭାଟି ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରୁଛନ୍ତି। ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଯେମିତିକି ସୁନ୍ଦରଗଡ ଜିଲ୍ଲା ପୁରାପୁରି ଆଦିବାସୀ ଜିଲ୍ଲା ହୋଇଥିବାରୁ ଓଡିଶା ସରକାର ଆଦିବାସୀ ଅଂଚଳର ଆଇନ ବ୍ୟବସ୍ଥାକୁ ଉଲଂଘନ କରି ଯେକୌଣସି ପ୍ରକାର ମଦ ଭାଟି ଖୋଲିବା ବେଆଇନ। ଓଡିଶା ସରକାର ଆଦିବାସୀମାନଙ୍କ ଉପରେ ଏବଂ ଆଦିବାସୀମାନଙ୍କ ପ୍ରତି କ୍ଷତି ପହଞ୍ଚାଇଲା ଭଳି କାର୍ଯ୍ୟକଳାପ କରିପାରିବେ ନାହିଁ। ଆଦିବାସୀମାନଙ୍କର ବିକାଶ କରିବାକୁ ହେଲେ ତାଙ୍କୁ ଶିକ୍ଷା ଏବଂ ରୋଜଗାରର ଆବଶ୍ୟକ ରହିଛି | ଗାଁ ଗାଁରେ ଦେଶୀ ମଦ ଭାଟି ଖୋଲିବା ଦ୍ବାରା ଗରୀବ ଖଟିଖିଆ ଏବଂ ଲଟେରୀ ମାଧ୍ଯମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଲାଇସେନ୍ସ ଦିଆଯିବାକୁ ଜିଲ୍ଲା ଗ୍ରାମସଭା ଘୋର ବିରୋଧ କରୁଛି। ଓଡିଶା ସରକାରଙ୍କୁ ଆଦିବାସୀମାନେ ସୂଚେଇ ଦେବାକୁ ଚାହୁଁ କି ଓଡିଶା ରାଜ୍ୟର ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ଯୁଷିତ ଅଂଚଳ (ପଞ୍ଚମ ଅନୁସୁଚି ଅଂଚଳ) ସମ୍ବିଧାନର ଧାରା – ୨୪୪(୧) ଅନୁଯାୟୀ ଏହି ଜିଲ୍ଲାର ଏବଂ ଜିଲ୍ଲାର ଆଦିବାସୀମାନଙ୍କର ଶାସନ ଓ ନିୟନ୍ତ୍ରଣ ବ୍ୟବସ୍ଥା ପରିଚାଳିତ ହୋଇଥାଏ | ସୁନ୍ଦରଗଡ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ଅଧିକାଂଶ ଲୋକ ହେଉଛନ୍ତି ଆଦିବାସୀ | ଶିକ୍ଷାର ଅଭାବ ଏବଂ ସଚେତନ ଅଭାବ ଯୋଗୁଁ ଭାରତ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ଯ ଆଦିବାସୀମାନଙ୍କ ସ୍ଥିତି ଏବଂ ଅବସ୍ଥାରେ କୌଣସି ପରିବର୍ତନ ହୋଇପାରିନାହିଁ | ଏବେ ପର୍ଯ୍ୟନ୍ତ ଆଦିବାସୀମାନେ ଅନୁନ୍ନତ ଅବସ୍ଥାରେ ରହୁଛନ୍ତି | ଆଦିବାସୀମାନଙ୍କ ବିକାଶ ପ୍ରତି ଗୁରୁତ୍ବ ଦେବା ଦରକାର କିନ୍ତୁ ଓଡିଶା ସରକାର ଆଦିବାସୀ ମାନଙ୍କ ପ୍ରତି ନିରନ୍ତର ଅବହେଳା କରିଚାଲିଛନ୍ତି | ରାଉରକେଲା ସହରର ପ୍ରତ୍ୟେକ ୱାର୍ଡରେ ବସବାସ କରୁଥିବା ଗରୀବ ଖଟିଖିଆ, ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକମାନେ ଏହି ଦେଶୀ ମଦ ଦୋକାନ ଦ୍ବାରା ଅଧିକ ପ୍ରଭାବିତ ହେବେ | ଅତ୍ୟାଚାର, ଅଶାନ୍ତି, ଏବଂ ଅପରାଧୀକ କାର୍ଯ୍ୟକଳାପ ଗାଁ ଗାଁ ରେ ବଢିବ | ଗ୍ରାମାଞ୍ଚଳର ଗରୀବ ଆଦିବାସୀମାନେ ନିଜର ଜୀବନ ଜୀବିକା ପାଇଁ କୃଷି ଏବଂ ଦିନ ମଜୁରିଆ ଉପରେ ନିର୍ଭର କରନ୍ତି। ଏଭଳି ଅବସ୍ଥାରେ ଓଡିଶା ସରକାର ଆଦିବାସୀ ଏଥିରୁ ଓହରି ଯାଇ ବେଆଇନ ଦେଶୀ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମସଭା କୋ-ଅର୍ଡିନେସନ କମିଟି ଦାବି କରିଛି।
ଆଜିର ଏହି ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ ସମୟରେ ଜିଲ୍ଲା ଗ୍ରାମସଭା କୋ-ଅର୍ଡିନେସନ କମିଟି ପକ୍ଷରୁ ପିଟର ଟପ୍ପୋ, ବନ୍ଧନୀ ଓରାମ, ବାସୁଦେବ ମାଝି, ବିରାମ ଭୂମିଜ, ସବେଷ୍ଟାନ ମୁଣ୍ଡାରୀ, ସୁଶୀଲ ମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।

