ରାଉରକେଲା, ୧୮/୧୧/୨୬ :(ଉତ୍କଳ ସମାଚାର) ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ଦିନ ରାଉରକେଲା ସହରର ୨୩୬ଟି ବୁଥ୍ରେ ୦-୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପୋଲିଓ ପ୍ରତିଷେଧକ ଔଷଧର ଦୁଇ ବୁନ୍ଦା ପ୍ରଦାନ କରାଯିବ। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଏହ।କୁ ନେଇ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଟି ହେଲ୍ଥ ସୋସାଇଟି, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ(NUHM ), ରାଉରକେଲା ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସମସ୍ତ ଶିଶୁଙ୍କୁ ଏହାର ପରିସରଭୁକ୍ତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ପୋଲିଓ ଦିବସରେ କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନ ରୁହନ୍ତି, ସେଥିପାଇଁ ଡିସେମ୍ବର ୨୩ ଓ ୨୪ ତାରିଖରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ନ ନେଇଥିବା ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି।ରାଉରକେଲା ସହରରେ ଏହି ଅଭିଯାନ ପାଇଁ ୭ଟି ମୋବାଇଲ୍ ଟିମ୍ ଓ ୨୫ଟି ଟ୍ରାଞ୍ଜିଟ୍ ଟିମ୍ ନିୟୋଜିତ ହେବେ। ଏହାସହ ୨୬ ଜଣ ସୁପରଭାଇଜରଙ୍କ ତତ୍ତ୍ୱାବଧାନରେ ମୋଟ ୫୬୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି ।ବୈଠକରେ ବୁଥ୍ ଭାବେ ଚିହ୍ନଟ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ପୋଲିଓ ବୁନ୍ଦା ପ୍ରଦାନ ଏବଂ ଶିଶୁମାନଙ୍କୁ ବୁଥ୍କୁ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଥିଲା। ଏହାସହ ଅଭିଯାନର ସୁଚାରୁ ପରିଚାଳନା ନିମନ୍ତେ ଆବଶ୍ୟକ ଯାନବାହନ ଯୋଗାଇଦେବାକୁ ଆର୍ଟିଓଙ୍କୁ ଅନୁରୋଧ କରାଯାଇଥିଲା।ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ଆପାର୍ଟମେଣ୍ଟ, ଔଷଧ ଦୋକାନ, ଅଳିଆ ଆବର୍ଜନା ସଂଗ୍ରହକାରୀ ଗାଡ଼ି ଏବଂ ଗଣମାଧ୍ୟମ ଜରିଆରେ ଜନସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGO), ରୋଟାରୀ କ୍ଲବ୍ ଓ ଲାୟନ୍ସ କ୍ଲବ୍ର ସହଯୋଗ ନେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ୨୨ ନଭେମ୍ବର ରେ ରାଜ୍ୟର ୧୭ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ ଏହି ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମ କରାଯିବ ।ବୈଠକରେ ଏଡିୟୁପିଏଚଓ ତଥା ଆର୍ଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁନୀଲ ଜଷ୍ଟିନ୍ ଭେଙ୍ଗ୍ରା, ଆଇଜିଏଚ୍ର ଡା. ଅର୍ଚ୍ଚନା, ଆର୍ଭିସିସିଏମ୍ ସୁନ୍ଦରଗଡ଼ର ସତ୍ୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ସିପିଏମ୍ ଗୁରୁଦତ୍ତ ପୁରୋହିତ ଓ ଏପିଏମ୍ ଇତିଶ୍ରୀ ଦାସ ,ଶକ୍ତି ମହାପାତ୍ର , ସିଡିଏମ୍ ରାଜେଶ ମେହେର ବୈଠକର ସଂଯୋଜନା କରିଥିଲେ। ଏଥିରେ ବିଭିନ୍ନ ୟୁପିଏଚ୍ସିର ମେଡିକାଲ ଅଫିସର, ରୋଟାରୀ କ୍ଲବ୍, ଲାୟନ୍ସ କ୍ଲବ୍ର ପ୍ରତିନିଧି, ଆଇସିଡିଏସ୍ ଅଧିକାରୀ ଏବଂ ଆଇଜିଏଚ୍ର ଅଧିକାରୀମାନେ ଯୋଗ ଦେଇଥିଲେ।

