ରାଉରକେଲା ୬/୧୨,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରାଉରକେଲା ସ୍ଥିତ ମାହେଶ୍ୱରୀ ଭବନ ଠାରେ ଏକ ଚେତନା ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି। ଜନଜାତିର ବିଭିନ୍ନ ସମାଜର ପ୍ରତିନିଧିମାନଙ୍କ ମଧ୍ଯରେ ଓରାମ, କିଶାନ ଓ ମୁଣ୍ଡା ସମାଜର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଦାମୋଦର ତିର୍କୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ମାଙ୍ଗେ ଲାକ୍ରା, ସମ୍ମାନୀତ ଅତିଥି ଭାବରେ ରାଜକୁମାର ମାଝି ଯୋଗଦାନ କରିଥିଲେ। ଏହି ସମ୍ମିଳନୀରେ ଜନଜାତି ବ୍ଯକ୍ତି ଧର୍ମାନ୍ତରଣ ହେଲେ ବା ଖ୍ରୀଷ୍ଟିୟାନ ହେଲେ ସରକାରୀ ଚାକିରୀରେ ସେମାନଙ୍କ ଆରକ୍ଷିତ କୋଟା ସମାପ୍ତ କରାଯିବାକୁ ଦାବି କରାଯାଇଛି । ଧର୍ମାନ୍ତରଣ ନିରୋଧ ବିଧେୟକକୁ କଡାକଡି ପାଳନ କରାଯିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସୁଦୃଢ ବିଧେୟକ ପ୍ରଣୟନ କରାଯିବାକୁ ଏହି ସମ୍ମିଳନୀରେ ଦାବି କରାଯାଇଛି । ଆଗାମୀ ଜନଗଣନା ସମୟରେ, ବିଭ୍ରାନ୍ତିକର ତଥ୍ଯ ପାଇଁ ସତର୍କ ରହିବା ସହିତ ଆଗାମୀ ଦିନରେ ଜନଜାତି ସୁରକ୍ଷା ଆନ୍ଦୋଳନକୁ ଆଗକୁ ସୁଦୃଢ କରିବାକୁ ମଞ୍ଚର ଏକ କେନ୍ଦ୍ରୀୟ ସମିତି ସୁଦାମ ବାର୍ତାଙ୍କ ଅଧ୍ଯକ୍ଷତାରେ ଗଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ତିର୍କୀ ମଞ୍ଚ ସଞ୍ଚାଳନ କରିଥିଲେ ।

