ରାଉରକେଲା ୬/୧୨,(ଉତ୍କଳ ସମାଚାର) ଆଜି ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡ ସଂସ୍ଥାର ପ୍ରତିଷ୍ଠା ଦିବସ – ୨୦୨୫ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ବେସାମରିକ ପ୍ରତିରକ୍ଷା ବାହିନୀ ଅତିରିକ୍ତ ନିୟନ୍ତ୍ରକ (ସିଭିଲ୍ ଡିଫେନ୍ସ ଆଡିସନାଲ କଣ୍ଟ୍ରୋଲର୍) ଦୀନାଃ ଦସ୍ତଗୀର ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ତଥା ହୋମ୍ ଗାର୍ଡ ବାହିନୀର କମାଣ୍ଡାଣ୍ଟ ନିତେଶ ଓ୍ବାଧଓ୍ବାନୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଆରକ୍ଷୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡ ସଂସ୍ଥାର ପ୍ରତିଷ୍ଠା ଦିବସ ପାଳନ ଅବସରରେ, ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡମାନଙ୍କ ଆୟୋଜିତ ମିଳିତ ପ୍ଯାରେଡରେ ଅଭିବାଦନ ଗ୍ରହଣ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଓଡିଶା ରାଜ୍ୟପାଳ ହରିବାକୁ କମ୍ଭମପତି ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବାର୍ତ୍ତା ପଢି ଶୁଣାଇ ଥିଲେ। ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡ ବିଭାଗରେ ଉନ୍ନତ ସେବା ପ୍ରଦର୍ଶନ କରିଥିବା ସିଭିଲ୍ ଡିଫେନ୍ସର କର୍ମୀ ଏବଂ ହୋମ୍ ଗାର୍ଡର ଜଓ୍ବାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ନଗଦ ଅର୍ଥରାଶି ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ହୋମ୍ ଗାର୍ଡ ବାହିନୀ, ସିଭିଲ୍ ଡିଫେନ୍ସର ସ୍ବେଚ୍ଛାସେବୀ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାର ବିଭିନ୍ନ ପ୍ରକାର ପ୍ରଦର୍ଶନ କରାଯାଇଥିଲା।

