ରାଉରକେଲା ୬/୧୨,(ଉତ୍କଳ ସମାଚାର) ସହର ତଥା ରାଉରକେଲା ସ୍ମାର୍ଟ ସିଟିର ବିକାଶକୁ ନେଇ ଶୁକ୍ରବାର ଦିନ ସନ୍ଧ୍ୟାରେ ରାଉରକେଲା ନିଗମ (RMC) ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସହରକୁ ପ୍ରଭାବିତ କରୁଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ନୂତନ ବିକାଶ ଉପରେ ପଦକ୍ଷେପର ରୂପରେଖା ପ୍ରଦାନ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଏବଂ ସ୍ମାର୍ଟ ସିଟି ସିଇଓ ଦୀନାଃ ଦସ୍ତଗୀର୍ ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ଯକ୍ଷତା କରି ରାଉରକେଲାର ସାମଗ୍ରିକ ବିକାଶ ପାଇଁ ସମସ୍ତ ଜନସହଯୋଗକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ। ସାମ୍ବାଦିକ ସମାବେଶକୁ ସମ୍ବୋଧିତ କରି କମିଶନର ସୁଶ୍ରୀ ଦୀନାଃ ଦସ୍ତଗୀର୍ ବର୍ତ୍ତମାନ ଚାଲୁଥିବା ଏବଂ ଆଗାମୀ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ସହରର ଅଳିଆ ଆବର୍ଜନାରୁ ସବୁଜ ଶକ୍ତି ଉତ୍ପାଦନ କରିବା ପାଇଁ ସେକ୍ଟର-୧୪ରେ ଏକ ବାୟୋ-ମିଥାନାସନ୍ ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ଏବଂ ଏହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା ପ୍ରକଟ କରିଥିଲେ। ସେହିପରି, ବାଲୁଘାଟରେ ଏକ ବାୟୋ-ମାସ୍ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି, ଯେଉଁଠାରେ ପାର୍କରୁ ସଂଗୃହିତ ନଡ଼ିଆ କୋଷ ଏବଂ ଶୁଖିଲା ଅଳିଆକୁ ଇନ୍ଧନ ଉତ୍ପାଦନ ପାଇଁ ପେଲେଟରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିସହିତ ମହାନଗର ନିଗମ କମିଶନର ସୁଶ୍ରୀ ଦୀନାଃ ଦସ୍ତଗୀର୍ ଆହୁରି ସୂଚନା ଦେଇଥିଲେ ଯେ, ଟିସ୍କୋ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବା ସହିତ ଟିସ୍କୋ ନିକଟସ୍ଥ ଶୁକ୍ରବାର ବଜାରରେ କାର୍ଯ୍ୟ କରୁଥିବା ବ୍ୟବସାୟୀଙ୍କ ସୁବିଧା ପାଇଁ, ନୂତନ ଭେଣ୍ଡିଂ ପ୍ଲାଟଫର୍ମ ମଧ୍ୟ ନିର୍ମାଣ କରାଯିବ।ରାଉରକେଲା ସହରର ଡ୍ରେନେଜ୍ ଏବଂ ଜଳବନ୍ଦୀର ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ, କମିଶନର ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନ ଏକ ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ସର୍ଭେ ଚାଲିଛି ଏବଂ ଏଥିସହିତ ଦୟାନନ୍ଦ ନଗର ଏବଂ ପି.କେ. ଦାସ କଲୋନିରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ସମ୍ପ୍ରତି ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟର ବିକାଶକୁ ସମାପ୍ତ କରାଯାଇଛି, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଆଉ ୬ଟି ବିଦ୍ୟାଳୟର ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହିତ ସହରରେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ଏକ ପାର୍କ ବିକଶିତ କରାଯାଉଛି।ରାଉରକେଲା ସହରର ଜବରଦଖଲ ପ୍ରସଙ୍ଗରେ, ମହାନଗର ନିଗମ କମିଶନର ସୂଚନା ଦେଇଥିଲେ ଯେ, ରାଉରକେଲାର ଜବରଦଖଲ ସହରାଞ୍ଚଳ ପରିଚାଳନା ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇ ରହିଛି। ଆରଏମସି ଏହି ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି। ମହାନଗର ନିଗମ କମିଶନର ସୁଶ୍ରୀ ଦୀନାଃ ଦସ୍ତଗୀର୍ ଏହି ପଦକ୍ଷେପରେ ରାଉରକେଲା ବାସିନ୍ଦାଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ସେ ଆହୁରି ସୂଚନା ଦେଇ କହିଥିଲେ ଯେ, ବୁଲୁଥିବା ଗାଈମାନଙ୍କ ପାଇଁ ଏକ ଗୋ ଆଶ୍ରୟସ୍ଥଳ (କାଞ୍ଜିଆ ହାଉସ) ଖୁବ୍ ଶୀଘ୍ର ନିର୍ମାଣ କରାଯିବ। ସହରରୁ ବାହାରୁଥିବା ପ୍ରାଣୀମାନଙ୍କ ଶବଗୁଡ଼ିକର ନିଷ୍କାସନ ପାଇଁ, ଆରଏମସି ପକ୍ଷରୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଉଛି ଏବଂ ଏକ ଉନ୍ନତ ସ୍ୱୟଂଚାଳିତ ମେସିନ୍ ବ୍ୟବହାର କରି ମୃତ ପ୍ରାଣୀମାନଙ୍କୁ ଦାହ କରାଯିବ। ରାଉରକେଲା ମହାନଗର ନିଗମ କମିଶନର, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ସୁନିଶ୍ଚିତ କରିବା ପାଇଁ ନିଗମର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ଶେଷରେ କହିଥିଲେ ଯେ, ରାଉରକେଲା ସହରର ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ସହରର ମୁଖ୍ୟ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ଏବଂ ନୂତନ ପ୍ରକଳ୍ପର ଘୋଷଣାକୁ ନେଇ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ସମେତ ଯୁଗ୍ମ ପୌର ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ-ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

