ସମ୍ବଲପୁର,୨୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ବ୍ଲକ ଜୋନ୍-୨ ଅନ୍ତର୍ଗତ ୭ଟି ଗ୍ରାମ ପଞ୍ଚାୟତର ମଣ୍ଡିରେ ଚାଷୀଙ୍କଠାରୁ ଅଭିଯୋଗିତ ବେଆଇନ କଟନି-ଛଟନି ବନ୍ଦ କରିବା ଦାବିରେ ଜିଲ୍ଲା ପରିଷଦ ସଦସ୍ୟ ଦେନାରାୟଣ ତିୱାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଲଇଡ଼ା, ରେଙ୍ଗଲୋଇ, କିନାଲୋଇ, ଝାଙ୍କରପାଲି, କତରବଗା, ତବଡ଼ାବାହାଲ ଓ ଟାମ୍ପରକେଲା ପଞ୍ଚାୟତର ମଣ୍ଡିଗୁଡ଼ିକରେ ଅଚାନକ ଯାଞ୍ଚ, ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ, ଧାନର ସଠିକ୍ ଓଜନ ଓ ଚାଷୀଙ୍କୁ ସ୍ୱଚ୍ଛ ରସିଦ ପ୍ରଦାନ ସହ ଅନିୟମିତତା ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ଲିଖିତ ଦାବିପତ୍ର ଦିଆଯାଇଥିବା ସେ ଜଣାଇଛନ୍ତି। କେବଳ ଆଶ୍ୱାସନ ନୁହେଁ, ମଣ୍ଡିରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଓ ଚାଷୀଙ୍କ ଧାନର ଉଚିତ୍ ମୂଲ୍ୟ ସୁନିଶ୍ଚିତ କରାଯାଉ ବୋଲି ଦେନାରାୟଣ ତିୱାରୀ ଦାବି କରିଛନ୍ତି।

