ସମ୍ବଲପୁର,୨୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ତଲାବିରା କୋଇଲା ଖଣି–୨ ଓ ୩ରେ ଖଣି କାର୍ଯ୍ୟ ବନ୍ଦ ରହିବା ଯୋଗୁଁ ପରିବହନ କାର୍ଯ୍ୟ ସହ ଜଡ଼ିତ ଟ୍ରକ୍ ମାଲିକମାନେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଖଣି କାର୍ଯ୍ୟ ସ୍ୱାଭାବିକ କରିବା ସହ ଟ୍ରକ୍ ପାର୍କିଂ, ସ୍ଥାନୀୟ ନିଯୁକ୍ତି, ଜମି ହରାଇଥିବା ପରିବାରଙ୍କ ସମସ୍ୟା ଓ ପରିପାର୍ଶ୍ୱିକ ବିକାଶ ଯୋଜନାର ପ୍ରତିଶ୍ରୁତି ପୂରଣ ଦାବିରେ ମା’ ସମ୍ବଲେଶ୍ୱରୀ ମଲ୍ଟି ୟୁଟୀଲିଟୀ ଭେହିକଲ୍ ଓନର ଏସୋସିଏସନ୍ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛି। ଗତ ୧୧ ନଭେମ୍ବରରୁ ସ୍ଥାନୀୟ ଆନ୍ଦୋଳନ ଯୋଗୁଁ ତଲାବିରା କୋଇଲା ଖଣି–୨ ଓ ୩ର କାର୍ଯ୍ୟ ବନ୍ଦ ରହିଥିବାରୁ ଏହାର ପରିବହନ ବ୍ୟବସ୍ଥା ଉପରେ ପ୍ରତ୍ୟକ୍ଷ ନିର୍ଭରଶୀଳ ଟ୍ରକ୍ ମାଲିକ ଓ ଚାଳକମାନେ ଜୀବିକା ସଙ୍କଟରେ ପଡ଼ିଛନ୍ତି। ଜମି ହରାଇଥିବା ଗ୍ରାମବାସୀଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ହୋଇନଥିବାରୁ ଆନ୍ଦୋଳନ ଜାରି ରହିଥିବା ଏସୋସିଏସନ୍ ପକ୍ଷରୁ କୁହାଯାଇଛି। ଖଣି ବନ୍ଦ ରହିବା ଫଳରେ ପରିବହନ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଋଣରେ ଗାଡ଼ି କିଣିଥିବା ମାଲିକମାନଙ୍କ ପାଇଁ କିସ୍ତି ଓ ସୁଧ ପରିଶୋଧ ଏବେ ଚିନ୍ତାର କାରଣ ହୋଇଛି।ଟ୍ରକ୍ ମାଲିକଙ୍କ ଏହି ସମସ୍ୟାକୁ ନେଇ ଏସୋସିଏସନ୍ ପକ୍ଷରୁ ସୋମବାର ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଅଭିଯୋଗ ଓ ଦାବି ଉପସ୍ଥାପନ କରାଯାଇଥିଲା।ଏସୋସିଏସନ୍ ଅଧ୍ୟକ୍ଷ ଦେବେନ୍ଦ୍ର କିଶୋର ପତି କହିଥିଲେ ଯେ, ଖଣି କମ୍ପାନୀ ପକ୍ଷରୁ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ତାହାର ଯଥାର୍ଥ କାର୍ଯ୍ୟକାରିତା ହେଉନାହିଁ। ବିଶେଷକରି ଟ୍ରକ୍ ପାର୍କିଂ ସମସ୍ୟା ଦୀର୍ଘଦିନ ଧରି ରହିଥିବାରୁ ଗାଡ଼ି ମାଲିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ ଅନାବଶ୍ୟକ ଜରିମାନା ଦେବାକୁ ପଡ଼ୁଛି। ଏନେଇ ବାରମ୍ବାର ଲିଖିତ ଭାବେ ଦାବି ଜଣାଇଥିଲେ ଧ୍ୟ ଏକ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରାଯାଇନଥିବା ସେ ଅଭିଯୋଗ କରିଥିଲେ।ଏଥିସହ ସିଟିଆର୍ ରୋଡ୍ରେ ଥିବା ୮ ଡେସିମିଲ୍ ଜମି ସମ୍ପର୍କିତ ସମସ୍ୟା ମଧ୍ୟ ଦୀର୍ଘଦିନ ଧରି ଅନିଷ୍ପତ୍ତି ଅବସ୍ଥାରେ ରହିଥିବା ଶ୍ରୀ ପତି ଉଲ୍ଲେଖ କରିଥିଲେ। ଏହି ସମସ୍ୟାଗୁଡ଼ିକର ସମାଧାନ ନ ହେବା ଟ୍ରକ୍ ମାଲିକଙ୍କ ଆର୍ଥିକ ଓ ପରିଚାଳନାଗତ ଅସୁବିଧାକୁ ଆହୁରି ବଢ଼ାଇ ଦେଇଛି।ଖଣି କାର୍ଯ୍ୟ ବନ୍ଦ ଯୋଗୁଁ ଟ୍ରକ୍ ମାଲିକମାନଙ୍କ ଦୈନିକ ଆୟ ହ୍ରାସ ପାଇଥିବା ସହ ଆର୍ଥିକ ଦାୟିତ୍ୱ ଅଧିକ ଚାପ ସୃଷ୍ଟି କରିଛି। ଟ୍ରକ୍ ଋଣର କିସ୍ତି, ସୁଧ, ଗାଡ଼ିର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ଜାରି ରହିଥିବା ବେଳେ ପରିବହନ କାର୍ଯ୍ୟ ନ ହେବା ମାଲିକମାନଙ୍କ ପାଇଁ ଗଭୀର ଆର୍ଥିକ ଚାପ ସୃଷ୍ଟି କରିଛି। ଦୈନିକ ଗୋଟିଏ ଟ୍ରକ ପାଇଁ ଜଣେ ଜଣେ ମାଲିକଙ୍କ ପ୍ରାୟ ୭ ହଜାର ଟଙ୍କା କ୍ଷତି ହେଉଥିବା ଦେବେନ୍ଦ୍ର କିଶୋର ପତି ପ୍ରକାଶ କରିଥିଲେ।ଏହି ପରିବହନ କାର୍ଯ୍ୟ ସହ ପ୍ରାୟ ୨୦୦ ଟ୍ରକ୍ ମାଲିକ ଓ ୨ ହଜାର ଟ୍ରକ୍ ଜଡ଼ିତ ଥିବା ଏ ସୋସିଏସନ୍ ପକ୍ଷରୁ ଦର୍ଶାଯାଇଛି। ଏହା ସହିତ ୮୦ରୁ ୯୦ ଜଣ ଯୁବକ ଏହି ପରିବହନ ବ୍ୟବସ୍ଥାରେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବାରୁ ଖଣି ବନ୍ଦର ପ୍ରଭାବ କେବଳ ଟ୍ରକ୍ ମାଲିକଙ୍କ ମଧ୍ୟରେ ସୀମିତ ନ ରହି ଅନ୍ୟ ଶ୍ରମଜୀବୀଙ୍କ ଉପରେ ମଧ୍ୟ ପଡ଼ୁଛି ବୋଲି ଶ୍ରୀ ପତି ପ୍ରକାଶ କରିଥିଲେ Iଏସୋସିଏସନ୍ ସଭାପତି ପଦ୍ମଲୋଚନ ଧର ସ୍ଥାନୀୟ ନିଯୁକ୍ତି, ଜମି ହରାଇଥିବା ପରିବାରଙ୍କ ସୁବିଧା, ପିଡିଏଫ୍ଓ ପାରିପାର୍ଶ୍ୱିକ ବିକାଶ ଯୋଜନାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଖଣି ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସୁଯୋଗ, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟ ଉପରେ ଯଥାର୍ଥ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କମ୍ପାନୀ ଓ ପ୍ରଶାସନ ମିଳିତ ଭାବେ ଏହି ସମସ୍ୟାଗୁଡ଼ିକର ସମାଧାନ କରି ଖଣି କାର୍ଯ୍ୟ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଏହି ସମସ୍ତ ସମସ୍ୟାର ସମାଧାନ, ଖଣି କାର୍ଯ୍ୟ ପୁନଃଆରମ୍ଭ ଓ ଟ୍ରକ୍ ମାଲିକଙ୍କ ଜୀବିକା ସୁରକ୍ଷା ଦାବିରେ ଏସୋସିଏସନ୍ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦାଖଲ କରାଯାଇଛି। ଦାବିପତ୍ରରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କମ୍ପାନୀ, ଆନ୍ଦୋଳନରତ ଗ୍ରାମବାସୀ ଓ ଟ୍ରକ୍ ମାଲିକଙ୍କ ମଧ୍ୟରେ ଆଲୋଚନାର ବାଟ ଖୋଲିବା ସହ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଅନୁରୋଧ କରାଯାଇଛି। ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଏସୋସିଏସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ବିଶ୍ୱାଳ, ସମ୍ପାଦକ ସରୋଜ କୁମାର ପ୍ରଧାନ, ତୁଳକାନ୍ତ ବରିହା, ନିତ୍ୟାନନ୍ଦ ବିଶ୍ୱାଳ ମଂଚାସୀନ ଥିବାବେଳେ କେଶବ ରୋହିଦାସ, ପ୍ରକାଶ ଦାଶ, ସୁଶାନ୍ତ ପ୍ରଧାନ, ସନ୍ଦୀପ ଶର୍ମାଙ୍କ ସମେତ ଶତାଧିକ ଟ୍ରକ୍ ମାଲିକ ଉପସ୍ଥିତ ଥିଲେ।

