ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟ ବୈଠକରେ ଚାଷୀଙ୍କ ସ୍ୱାର୍ଥ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅଧିକାର ପ୍ରସଙ୍ଗରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କ ଦୃଢ଼ ଆଭିମୁଖ୍ୟକୁ ରୋହିତ ପୂଜାରୀ ସମର୍ଥନ ଜଣାଇଛନ୍ତି। ଧାନ ସଂଗ୍ରହ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ଚାଷୀ ସଂଗଠନର ପ୍ରତିନିଧିଙ୍କୁ ସାମିଲ ନକରିବା ଏବଂ ମହିଳା ଗୋଷ୍ଠୀଗୁଡ଼ିକୁ ବାଦ୍ ଦେବା ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ଉଠାଇ ବିଧାୟକ ସୁଦର୍ଶନ ହରିପାଲ ବୈଠକରୁ ଉଠି ଆସିବା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ବୈଠକ ବର୍ଜନ କରିବା ସେମାନଙ୍କ ଚାଷୀ ଓ ମହିଳାଙ୍କ ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସେ କହିଛନ୍ତି।ଧାନ ସଂଗ୍ରହ ଚାଷୀଙ୍କ ବର୍ଷକର ପରିଶ୍ରମ, ଜୀବିକା ଓ ଆର୍ଥିକ ସୁରକ୍ଷା ସହ ଜଡ଼ିତ। ତେଣୁ ଚାଷୀଙ୍କ ମତାମତ ଓ ପ୍ରତିନିଧିତ୍ୱକୁ ଅଣଦେଖା କରି ନିଷ୍ପତ୍ତି ନେବା ଅନୁଚିତ ବୋଲି ରୋହିତ ପୂଜାରୀ ମତ ଦେଇଛନ୍ତି। ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ନଭେମ୍ବର ୩୦ରୁ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ, ଟୋକନ୍, ମଣ୍ଡି ପରିଚାଳନା, କଟନୀ-ଛଟନୀ ଓ ଅର୍ଥ ପ୍ରଦାନ ଭଳି ସମସ୍ୟାରୁ ଚାଷୀଙ୍କୁ ମୁକ୍ତ ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଅନୁରୋଧ କରିଛନ୍ତି।ବୈଠକରେ ଚାଷୀ ସଂଗଠନଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ସହ ମହିଳା ଗୋଷ୍ଠୀଗୁଡ଼ିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନକୁ ସେ ଆହ୍ୱାନ ଜଣାଇଛନ୍ତି। ଚାଷୀଙ୍କ ସ୍ୱାର୍ଥ ଓ ମହିଳାଙ୍କ ଅଧିକାର ରାଜନୈତିକ ବିବାଦ ନୁହେଁ, ବରଂ ଜନସ୍ୱାର୍ଥର ପ୍ରସଙ୍ଗ ବୋଲି ସେ ସ୍ପଷ୍ଟ କରିଛନ୍ତି।

