ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଶିଶୁଙ୍କ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଯେତିକି ଜରୁରୀ, ସୁନ୍ଦର ଓ ସୁରକ୍ଷିତ ପରିବେଶ ଗଠନ ପାଇଁ ସଚେତନତା ମଧ୍ୟ ସେତିକି ଆବଶ୍ୟକ। ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଜୀବନର ଏକ ନିୟମିତ ଅଭ୍ୟାସ ହେବା ଉଚିତ ବୋଲି ବାର୍ତ୍ତା ଦେଇ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛଚାନପାଲିସ୍ଥିତ ଋକ୍କଣୀ ଲାଠ ବାଲନିକେତନଠାରେ ଶିଶୁ ସ୍ୱଚ୍ଛତା ଓ ପରିବେଶ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଶିକ୍ଷଣରେ ସମ୍ବଲପୁର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ତାଲିମ ପ୍ରଦାନ କରି ଶିଶୁମାନଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା, ସୁସ୍ଥ ଜୀବନଶୈଳୀ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ନିୟମିତ ହାତ ଧୋଇବା, ଖାଦ୍ୟ ଗ୍ରହଣ ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ସଫା କରିବା, ଶରୀର ଓ ପୋଷାକ ପରିଷ୍କାର ରଖିବା ଆଦି ଦୈନନ୍ଦିନ ଅଭ୍ୟାସର ଗୁରୁତ୍ୱ ସେ ବୁଝାଇଥିଲେ। ଏଥିସହ ଓଦା ଓ ଶୁଖିଲା ଆବର୍ଜନା ପୃଥକୀକରଣ, ପ୍ଲାଷ୍ଟିକ୍ମୁକ୍ତ ପରିବେଶ, ଜଳର ସଦୁପଯୋଗ, ଶୌଚାଳୟର ସ୍ୱଚ୍ଛତା ଏବଂ ଜଳ, ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମଶା ଓ ଅନ୍ୟାନ୍ୟ ରୋଗବାହକ କୀଟଙ୍କ ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ଓ ଚିକୁନଗୁନିଆ ଭଳି ରୋଗର ପ୍ରତିରୋଧ ପାଇଁ ପରିସରରେ ପାଣି ଜମିବାକୁ ନଦେବା, ଜଳପାତ୍ର ଘୋଡ଼ାଇ ରଖିବା ଓ ମଶାରି ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଶିଶୁମାନେ ନିଜେ ସଚେତନ ହେବା ସହ ପରିବାର, ସାଙ୍ଗସାଥୀ ଓ ସମାଜରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବାକୁ ଡାକ୍ତର ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛତାକୁ ଶିଶୁମାନଙ୍କ ଜୀବନର ଏକ ସ୍ଥାୟୀ ଅଭ୍ୟାସରେ ପରିଣତ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମକୁ ଋକ୍କଣୀ ଲାଠ ବାଲନିକେତନର ସୁପରିଟେଣ୍ଡେଣ୍ଟ କୁନ୍ଦନ ରାଉତ ସଂଚାଳନ କରିଥିବା ବେଳେ ସାମାଜିକ କର୍ମୀ ଶ୍ରୀକାନ୍ତ ମହାନ୍ତି ଓ ହାଉସ୍ ମଦର ଅଞ୍ଜୁ ସାହୁ ସହଯୋଗ କରିଥିଲେ।

