ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଆନ୍ତର୍ଜାତିକ ଐତିହ୍ୟ ସପ୍ତାହ ପାଳନ ଅବସରରେ ଲେଖକ ଦୀପକ କୁମାର ପଣ୍ଡାଙ୍କ ରଚିତ ଦୁଇଟି ପୁସ୍ତକ ‘ସମ୍ବଲପୁର ମହାରାଣୀ’ ଓ ‘କପଟ ଫାଶ’ ଉନ୍ମୋଚିତ ହୋଇଛି। ଇନଟାକ୍ ସମ୍ବଲପୁର ଚାପ୍ଟର ପକ୍ଷରୁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ଆୟୋଜିତ ଉତ୍ସବରେ ଏହି ପୁସ୍ତକ ଦୁଇଟିର ଶୁଭ ଉନ୍ମୋଚନ କରାଯାଇଥିଲା।‘ସମ୍ବଲପୁର ମହାରାଣୀ’ ପୁସ୍ତକରେ ସମ୍ବଲପୁରର ପ୍ରଥମ ମହିଳା ଶାସିକା ରାଣୀ ରତ୍ନ କୁମାରୀଙ୍କ ଜୀବନ, ସଂଘର୍ଷ ଓ ସେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ ରହିଛି।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ଇନଟାକ୍ ସଦସ୍ୟ ଡଃ ଅତୁଲ କୁମାର ପ୍ରଧାନ ଯୋଗଦେଇ ଐତିହ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଐତିହ୍ୟ ଆମ ସଂସ୍କୃତି ଓ ସଭ୍ୟତାର ଆଧାର ହୋଇଥିବାରୁ ଏହା ପ୍ରତି ଆଗ୍ରହ, ସଚେତନତା ଓ ସଂରକ୍ଷଣ ମନୋଭାବ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସ୍ଥାନୀୟ ଐତିହ୍ୟ ସହ ଯୋଡ଼ି ହୋଇ ରହିଲେ ଦାୟିତ୍ୱବୋଧ ଓ ଗୌରବବୋଧର ବିକାଶ ହୋଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ।ଇନଟାକ୍ ସଦସ୍ୟ ଡଃ ଗୁଣସାଗର ଦାଶ ପଶ୍ଚିମ ଓଡ଼ିଶାର ଐତିହ୍ୟ ସମ୍ପଦର ସଂରକ୍ଷଣ ପାଇଁ ବିଭିନ୍ନ ଠୋସ୍ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ଅଧ୍ୟାପକ ଅଖିଳ ବିଶ୍ୱାଳ, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, କବି ସୌଭାଗ୍ୟବନ୍ତ ମହାରଣା, ଚିତ୍ରକର ତଥା ସାହିତ୍ୟିକ ପ୍ରଶାନ୍ତ ମାଝୀ, କବି ଲକ୍ଷ୍ମୀନାରାୟଣ ପଣ୍ଡା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟକୁ ପାରମ୍ପରିକ କ୍ରୀଡ଼ା ଉପକରଣ ‘ସାତ ଗାଦି’ ପ୍ରଦାନ କରିଥିବାରୁ ସୁଧୀର କୁମାର ଝାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଇନଟାକ୍ ସମ୍ବଲପୁର ଚାପ୍ଟରର କନଭେନର ଦୀପକ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କୋ-କନଭେନର ଡଃ ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

