ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ‘ଚିକିତ୍ସା ମଞ୍ଜରୀ’ ଏକ ଅମୂଲ୍ୟ ଗ୍ରନ୍ଥ। ଏହାର ଉପଯୋଗିତା ଓ ପ୍ରାସଙ୍ଗିକତା ଆଜି ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ରାଜବୈଦ୍ୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ଜୟନ୍ତୀ ଉତ୍ସବରେ ଅତିଥିମାନେ ଏହି ମତ ପ୍ରକାଶ କରିଥିଲେ।ଅନୁପମା ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରଘୁନାଥ ମିଶ୍ର, ମୁଖ୍ୟବକ୍ତା ଦୀପକ କୁମାର ପଣ୍ଡା, ସମ୍ମାନିତ ଅତିଥି ଡା. ସୁଶୀଳ କୁମାର ବେହେରା, ଭବାନୀଶ ଭୋଇ ଓ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ରାଜବୈଦ୍ୟଙ୍କ ସାହିତ୍ୟିକ ଓ ଚିକିତ୍ସା ଅବଦାନ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ କହିଥିଲେ, ସମ୍ବଲପୁର ରାଜ୍ୟର ଗୌରବମୟ ଅତୀତରେ ରଚିତ ବିଭିନ୍ନ ଗ୍ରନ୍ଥ ଆଜି ମଧ୍ୟ ଅମୂଲ୍ୟ ସମ୍ପଦ। ‘ଚିକିତ୍ସା ମଞ୍ଜରୀ’ ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ବହୁଳ ଜନାଦୃତ ଗ୍ରନ୍ଥ ଭାବେ ପରିଚିତ ଥିଲା। ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ହ୍ରାସ ପାଇବା ପରେ ଏହି ଗ୍ରନ୍ଥ ଦୁଷ୍ପ୍ରାପ୍ୟ ହୋଇପଡ଼ିଥିଲା। ତେବେ ଏବେ ଆୟୁର୍ବେଦ ପ୍ରତି ପୁନର୍ବାର ଆଗ୍ରହ ବଢ଼ୁଥିବାରୁ ‘ଚିକିତ୍ସା ମଞ୍ଜରୀ’ର ପୁନଃପ୍ରଚାର ଓ ପ୍ରସାର ଆବଶ୍ୟକ।ଏହି ଗ୍ରନ୍ଥକୁ ଆୟୁର୍ବେଦ ମହାବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବା, ରାଜବୈଦ୍ୟଙ୍କ ନାମରେ ଶିକ୍ଷାନୁଷ୍ଠାନ ନାମକରଣ କରିବା ଏବଂ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏଥିସହ ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀ ସ୍ମାରକୀ ବୈଦ୍ୟ ସମ୍ମିଳନୀ ଆୟୋଜନ ପାଇଁ ସଭାରେ ପ୍ରସ୍ତାବ ରଖାଯାଇଥିଲା।ରାଜବୈଦ୍ୟଙ୍କ ବଂଶର ଦାୟାଦ ଗୋପୀନାଥ ଷଡ଼ଙ୍ଗୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ସୁଶାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ କୈଳାସ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

