ପାପଡାହାଣ୍ଡି,25//11,(ଉତ୍କଳ ସମାଚାର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ଚଳାଇଛନ୍ତି। ଏଥିପାଇଁ ଆଶ୍ରମ ବିଦ୍ୟାଳୟ ଓ ସେବାଶ୍ରମଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷକଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଲେ ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଳ ସେବାଶ୍ରମ ବିଦ୍ୟାଳୟରେ ଅଳ୍ପ କିଛି ଦିନ ବ୍ୟବଧାନରେ ଦୁଇଟି ଛାତ୍ରଙ୍କ ସମ୍ପର୍କିତ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ର ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏବେ ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ର ଶିକ୍ଷକଙ୍କ ମାଡ଼ ଭୟରେ ବିଦ୍ୟାଳୟ ଛାଡ଼ିଥିବା ଅଭିଯୋଗ ହୋଇଛି। ଦୁଇଟି ଘଟଣାରେ ଛାତ୍ରମାନେ ମାଡ଼ ମରାଯାଇଥିବା ଅଭିଯୋଗ କରିଥିବାରୁ ପ୍ରଧାନଶିକ୍ଷକଙ୍କ ଭୂମିକା ଓ ବିଦ୍ୟାଳୟର ପରିଚାଳନା ବ୍ୟବସ୍ଥାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଗ୍ରାମପଞ୍ଚାୟତ ସଦର ମହକୁମାର ଦୟା ମାଝୀଙ୍କ ପୁଅ ଶମ୍ଭୁ ମାଝୀ ଜଟାବାଳ ସେବାଶ୍ରମ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଗତ ନଭେମ୍ବର ୨ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଶମ୍ଭୁ ଜଟାବାଳ ପୋଲ ନିକଟରେ ବୁଲୁଥିବା ଦେଖି ଗ୍ରାମର କିଛି ଲୋକ ତାଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହାର ଉତ୍ତରରେ ବିଦ୍ୟାଳୟର ଜଣେ ଶିକ୍ଷକ ତାଙ୍କୁ ମାଡ଼ ମାରିଥିବାରୁ ଭୟରେ ବିଦ୍ୟାଳୟରୁ ଚାଲିଆସିଥିବା ସେ କହିଥିଲେ। ଏଥିସହ ବାପାଙ୍କୁ ଫୋନ୍ କରିବାକୁ ମଧ୍ୟ କହିଥିଲେ।ପରେ ଗ୍ରାମବାସୀ ଶମ୍ଭୁଙ୍କୁ ବିଦ୍ୟାଳୟକୁ ନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ପହଞ୍ଚାଇଥିଲେ। ପରଦିନ ପ୍ରଧାନଶିକ୍ଷକ ତାଙ୍କ ପିତା ଦୟା ମାଝୀଙ୍କୁ ଫୋନ୍ କରି ପୁଅକୁ ଘରକୁ ନେଇଯିବାକୁ ଏବଂ କିଛି ଦିନ ପରେ ପୁଣି ବିଦ୍ୟାଳୟରେ ଛାଡ଼ିବାକୁ କହିଥିଲେ। ତେବେ ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ ଶମ୍ଭୁ ବିଦ୍ୟାଳୟକୁ ଫେରିନାହାନ୍ତି।ଏନେଇ ଛାତ୍ରଙ୍କ ପିତା ଦୟା ମାଝୀ କହିଛନ୍ତି ଯେ, ବିଦ୍ୟାଳୟରେ ଜଣେ ଶିକ୍ଷକ ତାଙ୍କ ପୁଅକୁ ମାଡ଼ ମାରିଥିଲେ। ଫଳରେ ଭୟଭୀତ ହୋଇ ପୁଅ ବିଦ୍ୟାଳୟ ଛାଡ଼ି ଚାଲିଆସିଥିଲା। ବର୍ତ୍ତମାନ ୨୦ ଦିନ ହେଲା ପୁଅ ପାଠପଢ଼ାଠାରୁ ଦୂରେଇ ରହିଛି। ମୁଁ ବୃଦ୍ଧାବସ୍ଥାରେ ଏକମାତ୍ର ପୁତ୍ର ସନ୍ତାନର ଅଧିକାରୀ ହୋଇଛି। ପୁଅ ମା’ ଛେଉଣ୍ଡ। ଏଭଳି ସ୍ଥିତିରେ ପୁଅର ଜୀବନ ସୁରକ୍ଷା ନେଇ ମୋର ଚିନ୍ତା ରହିଛି। ତେଣୁ ଆଉ ସେହି ବିଦ୍ୟାଳୟକୁ ପୁଅକୁ ପଠାଇବି ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ପିଲାଙ୍କ ପ୍ରତି ଦାୟିତ୍ୱ ନାହିଁ। ଶେଷରେ ପୁଅ ଗାଈ ଚରାଇ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବ ବୋଲି ସେ କ୍ଷୋଭର ସହ କହିଛନ୍ତି।ଅନ୍ୟପକ୍ଷରେ ଏନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଆମେ ଠିକ୍ ଅଛୁ ଏବଂ ଏହି ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ଏହି ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହି ଛାତ୍ର ମଧ୍ୟ ବିଦ୍ୟାଳୟରେ ମାଡ଼ ମରାଯାଇଥିବା ଅଭିଯୋଗ କରିଥିଲେ। ଗୋଟିଏ ବିଦ୍ୟାଳୟରେ ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇଛି କି ନାହିଁ, ତାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।ଏନେଇ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ପରେ ତଦନ୍ତ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପଠାଯାଇଥିବା ସେ କହିଛନ୍ତି। ତେବେ ରିପୋର୍ଟ ପଠାଯିବା ପରେ କି ପ୍ରକାର ପଦକ୍ଷେପ ନିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ।ଏହାସହ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପ୍ରଧାନଶିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାକୁ ନେଇ ଜଟାବାଳ ସେବାଶ୍ରମ ବିଦ୍ୟାଳୟର ପରିଚାଳନା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱବୋଧ ଉପରେ ଗୁରୁତର ପ୍ରଶ୍ନ ଉଠିଥିବା ବେଳେ ସମ୍ପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

