ନବରଙ୍ଗପୁର, ନରସିଂବାଘ:25//11, (ଉତ୍କଳ ସମାଚାର). ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ବୃଦ୍ଧି, ଉଚ୍ଚ ଶିକ୍ଷା ଓ ଭବିଷ୍ୟତ ବୃତ୍ତିଗତ ଲକ୍ଷ୍ୟ ନିର୍ଦ୍ଧାରଣରେ ସଠିକ୍ ମାର୍ଗଦର୍ଶନ ପ୍ରଦାନ ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁରସ୍ଥିତ ପିଏମ୍-ଶ୍ରୀ ଆରସିଡି ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଚାରିଦିନିଆ ସୁପର୍-୧୦୦ ଓରିଏଣ୍ଟେସନ୍ କ୍ୟାମ୍ପର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟିତ ହୋଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ କ୍ୟାରିୟର ମାର୍ଗଦର୍ଶନ ପଦକ୍ଷେପ ‘ଉଡାନ୍ – ମିଟ୍ ୟୋର୍ ଡ୍ରିମ୍’ (ନିଜ ସ୍ୱପ୍ନକୁ ଭେଟ) ଏବଂ ଏହାର ପ୍ରତୀକ ଚିହ୍ନ ମଧ୍ୟ ଉନ୍ମୋଚିତ ହୋଇଛି। ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାର୍ଥ ଜଗଦୀଶ କାଶ୍ୟପ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିଜ ଅନୁଭୂତି ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଉଭୟେ ନିଜର ପ୍ରସ୍ତୁତି ଓ ସଫଳତାର ଯାତ୍ରା ସମ୍ପର୍କରେ ଅଭିଜ୍ଞତା ବାଣ୍ଟିବା ସହ ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ଆତ୍ମବିଶ୍ୱାସ, ନିଷ୍ଠା, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ଦ୍ୱାରା ନିଜ ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥିଲେ। ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଡା. ଆୟୁଷୀ ମଣ୍ଡଳ ନିଟ ପରୀକ୍ଷାରେ ସଫଳତା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନିଜର ଅନୁଭୂତି ବାଣ୍ଟି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ସୁପର୍-୧୦୦ ଓରିଏଣ୍ଟେସନ୍ କ୍ୟାମ୍ପ ଅଧୀନରେ ଚୟନ ପରୀକ୍ଷା ମାଧ୍ୟମରେ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଆଗାମୀ ମାଟ୍ରିକ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଶୈକ୍ଷିକ ପ୍ରସ୍ତୁତି, ଅଭ୍ୟାସ ଓ ନିୟମିତ ମାର୍ଗଦର୍ଶନ ପ୍ରଦାନ କରାଯିବ। ଜିଲ୍ଲାର ଶୈକ୍ଷିକ ଫଳାଫଳରେ ଉନ୍ନତି ଆଣିବା ସହ ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ‘ଏ-୧’ ଗ୍ରେଡ୍ ହାସଲ କରିବା ଲକ୍ଷ୍ୟରେ ନିଷ୍ଠା, ଏକାଗ୍ରତା ଓ ଶୃଙ୍ଖଳିତ ଅଧ୍ୟୟନ ଜାରି ରଖିବାକୁ ଜିଲ୍ଲାପାଳ ଉତ୍ସାହିତ କରିଥିଲେ। ଏଥିସହ ଏକ ଲକ୍ଷ ପ୍ରଶ୍ନ ସମ୍ବଳିତ ପ୍ରଶ୍ନବ୍ୟାଙ୍କର ସଦୁପଯୋଗ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ମାର୍ଗଦର୍ଶନ ପ୍ରଦାନ ମାଧ୍ୟମରେ ସେମାନଙ୍କ ଶିକ୍ଷାଗତ ଦକ୍ଷତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।‘ଉଡାନ୍ – ମିଟ୍ ୟୋର୍ ଡ୍ରିମ୍’ କାର୍ଯ୍ୟକ୍ରମ ଜିଲ୍ଲାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବୃତ୍ତି, ଜୀବିକା ସୁଯୋଗ, ପ୍ରତିଯୋଗିତାମୂଳକ ପରୀକ୍ଷା, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୁସଂଗଠିତ ମାର୍ଗଦର୍ଶନ ପ୍ରଦାନ କରିବ। ଦୃଶ୍ୟ-ଶ୍ରାବ୍ୟ ଉପସ୍ଥାପନା, ଚିତ୍ରସହ ବିବରଣୀ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆଗ୍ରହ, ଦକ୍ଷତା ଓ ଆକାଂକ୍ଷା ଅନୁଯାୟୀ ସଠିକ୍ କ୍ୟାରିୟର ପଥ ଚୟନ କରିବାରେ ସହାୟତା କରାଯିବ।ଏହି ପଦକ୍ଷେପକୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ୍କୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ କରାଯିବ। ପ୍ରତ୍ୟେକ ସୋମବାର ଜନଶୁଣାଣି ଦିବସ ସହ ସମନ୍ୱୟ ରଖି ବ୍ଲକ୍କୁ ଗସ୍ତ କରୁଥିବା ପ୍ରଶାସନିକ ଅଧିକାରୀମାନେ ବ୍ଲକ୍ ମୁଖ୍ୟାଳୟ ନିକଟସ୍ଥ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବେ ଏବଂ ସେମାନଙ୍କ ଭବିଷ୍ୟତ ଗଠନରେ ମାର୍ଗଦର୍ଶନ ପ୍ରଦାନ କରିବେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ଓ ଶ୍ରୀମତୀ ସୁପ୍ରିୟା ନାୟକ, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସାଧନ କର୍ମୀମାନେ ଉପସ୍ଥିତ ଥିଲେ। ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଳ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ ପରେ ସମୂହ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିବାବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନୀ ପଦକ୍ଷେପର କାର୍ଯ୍ୟପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଟେଣ୍ଟୁଳିଖୁଣ୍ଟି ବ୍ଲକ୍ ଶିକ୍ଷା ଅଧିକାରୀ ତଥା ପିଏମ୍-ଶ୍ରୀ ଆରସିଡି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁଦୀପ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପଦକ୍ଷେପ ଶୈକ୍ଷିକ ଫଳାଫଳରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପ୍ରୋତ୍ସାହନ, ସଠିକ୍ କ୍ୟାରିୟର ଚୟନ ଓ ନିରନ୍ତର ମାର୍ଗଦର୍ଶନ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନ ସାକାର କରିବା ଦିଗରେ ସଶକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନର ଏକ ଦୃଢ଼ ଓ ନିରନ୍ତର ପ୍ରୟାସ।
