ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଜମି ବିବାଦକୁ ନେଇ ଅଧାରେ ଅଟକି ରହିଛି। ଦିନ ପରେ ଦିନ, ମାସ ପରେ ମାସ ବିତୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ରାସ୍ତା ଉପରେ ନିର୍ଭରଶୀଳ ଶହ ଶହ ପରିବାର ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି। ଧନୁପାଲି-ଗୋବିନ୍ଦତୋଳା ଅଞ୍ଚଳର ଏହି ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ ତୁରନ୍ତ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) କରି ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ସାମାଜିକ ଅନୁଷ୍ଠାନ ‘ସାଧନା’ର ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।ଧନୁପାଲି ଦୁର୍ଗାପୂଜା ମଣ୍ଡପ ପଛପାଖରୁ ଧନୁପାଲି ଗ୍ରାମ ପୂର୍ବରୁ ଗୋବିନ୍ଦତୋଳା ପେଟ୍ରୋଲ ପମ୍ପ ପଛଦେଇ ସତୀରାଣୀ ମନ୍ଦିର ସମ୍ମୁଖ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧୩ ଫୁଟ ଚଉଡ଼ାର ଏକ କେନାଲ ଜମି ରହିଛି। ଏହି ରାସ୍ତାକୁ ଦୀର୍ଘବର୍ଷ ଧରି ପ୍ରାୟ ୫୦୦ ପରିବାର ଯାତାୟାତ ପାଇଁ ବ୍ୟବହାର କରିଆସୁଛନ୍ତି। ଏହି ରାସ୍ତାରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରାୟ ତିନି ମାସ ପୂର୍ବରୁ ଫେବର ବ୍ଲକ୍ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଧନୁପାଲି ଗ୍ରାମ ପଟରୁ ପ୍ରାୟ ୧୦୦ ମିଟର ଅଂଶରେ କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କାମ ବନ୍ଦ ରହିଛି। ଫଳରେ ସମଗ୍ର ରାସ୍ତାର ଉପଯୋଗିତା ବାଧାପ୍ରାପ୍ତ ହେବା ସହ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ଗତ ୦୭.୦୯.୨୦୨୬ରେ ଅଞ୍ଚଳବାସୀ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିବାଦୀୟ ଜମିର ରାଜସ୍ୱ ବିଭାଗ ଦ୍ୱାରା ଡିମାର୍କେସନ୍ କରି ସରକାରୀ ଜମିର ସ୍ଥିତି ସ୍ପଷ୍ଟ କରିବା ସହ ରାସ୍ତା ନିର୍ମାଣ ଶେଷ କରିବାକୁ ସେମାନେ ଦାବି ଜଣାଇଥିଲେ। ଏହାପରେ ମହାନଗର ନିଗମ ଆୟୁକ୍ତ ଶ୍ରୀ ଖତ୍ରୀ ସେହିଦିନ ଇଞ୍ଜିନିୟରିଂ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।ତେବେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଜମିର ସୀମା ନିର୍ଦ୍ଧାରଣ ହୋଇନାହିଁ କି ଅଟକି ରହିଥିବା ରାସ୍ତା କାମ ପୁନଃ ଆରମ୍ଭ ହୋଇନାହିଁ। ଏହାକୁ ନେଇ ଶ୍ରୀ ପାଣିଗ୍ରାହୀ ଉଦ୍ବେଗ ପ୍ରକାଶ କରିବା ସହ ପ୍ରଶାସନିକ ତତ୍ପରତାର ଅଭାବକୁ ପ୍ରଶ୍ନ କରିଛନ୍ତି।ଜମି ବିବାଦର ସମାଧାନ ନ ହେବା ଯୋଗୁଁ ସାଧାରଣ ଲୋକେ କାହିଁକି ଦୀର୍ଘଦିନ ଧରି ହଇରାଣ ହେବେ ବୋଲି ପ୍ରଶ୍ନ ଉଠାଇ ଶ୍ରୀ ପାଣିଗ୍ରାହୀ ତୁରନ୍ତ ରାଜସ୍ୱ ବିଭାଗ ଦ୍ୱାରା ଡିମାର୍କେସନ୍, ସରକାରୀ ଜମିର ସ୍ଥିତି ସ୍ପଷ୍ଟୀକରଣ ଏବଂ ଅଧାପନ୍ତରିଆ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କଲେ ଅଞ୍ଚଳର ଅନେକ ପରିବାର ଉପକୃତ ହୋଇପାରିବେ।

