ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସମ୍ବଲପୁର ସିଟି ରେଳ ଷ୍ଟେସନର ପୁନର୍ବିକାଶ କରାଯାଇ ଆଧୁନିକ ରୂପ ପ୍ରଦାନ କରାଯାଇଛି। ପ୍ରାୟ ୨୫.୬୬ କୋଟି ଟଙ୍କା ବ୍ୟୟରେ ଷ୍ଟେସନରେ ନୂତନ ଭିତ୍ତିଭୂମି ସହ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ବିକଶିତ କରାଯାଇଛି।ଏହି ପୁନର୍ବିକାଶରେ ୧,୦୧୧ ବର୍ଗ ମିଟରର ନୂତନ ଷ୍ଟେସନ ଭବନ, ୧୨ ମିଟର ଚଉଡ଼ା ଫୁଟ୍ ଓଭର ବ୍ରିଜ୍, ଉନ୍ନତ ପ୍ଲାଟଫର୍ମ, ୨୮ଟି ବେ’ ବିଶିଷ୍ଟ ସେଲ୍ଟର, ପ୍ରତୀକ୍ଷାଳୟ, ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ନିର୍ମାଣ କରାଯାଇଛି। ଏଥିସହ ଉନ୍ନତ ଆଲୋକୀକରଣ, ସାଇନେଜ୍, କୋଚ୍ ସୂଚନା ବୋର୍ଡ, ମୋବାଇଲ୍ ଚାର୍ଜିଂ, ପାନୀୟ ଜଳ ଓ ପଙ୍ଖା ସୁବିଧା ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ, ଟାକ୍ଟାଇଲ୍ ପାଥୱେ, ଅନୁକୂଳ ଶୌଚାଳୟ, ନିମ୍ନ ଉଚ୍ଚତାର ଟିକେଟ୍ କାଉଣ୍ଟର, ସ୍ୱତନ୍ତ୍ର ପାର୍କିଂ ଓ ସହାୟତା କେନ୍ଦ୍ର ଭଳି ସୁବିଧା ରହିଛି। ଯାତ୍ରୀଙ୍କ ସୁଗମ ଯାତାୟାତ ପାଇଁ ଲିଫ୍ଟ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହି ପୁନର୍ବିକାଶ ଦ୍ୱାରା ସମ୍ବଲପୁର ସିଟି ଷ୍ଟେସନର ଯାତ୍ରୀ ସେବା ଓ ରେଳ ଭିତ୍ତିଭୂମି ଅଧିକ ସୁଦୃଢ଼ ହେବା ସହ ଯାତ୍ରୀଙ୍କୁ ଉନ୍ନତ ଓ ଆରାମଦାୟକ ଯାତ୍ରା ଅନୁଭୂତି ମିଳିବ।

