ରାଉରକେଲା ୬/୧୨,(ଉତ୍କଳ ସମାଚାର) ପାନପୋଷ, ସିଭିଲ୍ ଟାଉନସିପ୍, ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କ ପକ୍ଷରୁ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ପାନପୋଷ ଅସ୍ଥାୟୀ ମାର୍କେଟ ପୁରୁଣା ଟିଣ ସେଡ୍କୁ ରାଉରକେଲା ମହାନଗର ନିଗମ ଦ୍ୱାରା ବଜାର ଉଦ୍ଦେଶ୍ୟରେ ନିଲାମ ଆମନ୍ତ୍ରଣ କରାଯାଇଛି। କିନ୍ତୁ ପ୍ରସ୍ତାବିତ ବଜାରର ସ୍ଥାନ ରାଉରକେଲାର ପ୍ରତିଷ୍ଠିତ ପ୍ରତିଷ୍ଠାନ ଅର୍ଥାତ୍ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅବସ୍ଥିତ ଥିବାରୁ ସେଠାରେ ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି। ସ୍ବୟଂଶାସିତ ମହାବିଦ୍ୟାଳୟର ଭବିଷ୍ୟତ ଓ ବିକାଶକୁ ବିଚାରକୁ ନେଇ, ବର୍ତ୍ତମାନ ନିଲାମ ପାଇଁ ପ୍ରସ୍ତାବିତ ଜମି ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଅଳ୍ପ ଦିନ ମଧ୍ୟରେ ମହାବିଦ୍ୟାଳୟକୁ ସମ୍ପ୍ରସାରଣ ପାଇଁ ବିଶ୍ୱବିଦ୍ୟାଳୟ ଭାବରେ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ରହିଛି ବୋଲି ସହରର ଜନସାଧାରଣଙ୍କ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିକାଶକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସହାନୁଭୂତି ସହକାରେ ବିଚାର କରିବାକୁ ରାଉରକେଲା ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସ୍ମାରକପତ୍ରରେ ରାଉରକେଲା ସହରର ରଂଜନ କୁମାର ସାହୁ, ଜୟଦୀପ ମିଶ୍ର, ଏସ୍ ଡି କିଶୋର ଖାଲକୋ, ଆର କେ ନାୟକ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ନିତ୍ଯାନନ୍ଦ ପଟ୍ଟନାୟକ, ଶରତ କୁମାର ଲେଙ୍କା, ରାମନାଥ ଲେଙ୍କା, ଅଖିଳ ଦାଶ, ସଂଜୀତ କୁମାର ସ୍ବାଇଁ, ଜଗଦୀଶ କୁମାର, ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

