ରାଉରକେଲା:୯/୧୨,(ଉତ୍କଳ ସମାଚାର), ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟର ୧୮୦୭ ଜଣ ଡ଼ାକ୍ତରୀ ଛାତ୍ରଛାତ୍ରୀ। ୨୦୨୫ ନଭେମ୍ବର ୬ ତାରିଖରୁ ରାଜ୍ୟରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ସେହିଦିନ ଠାରୁ ଛାତ୍ରଛାତ୍ରୀମାନେ କଳା ବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଥିଲେ। ତତ୍ ସହିତ ଗତ ନଭେମ୍ବର ୨୪ ତାରିଖ ଠାରୁ ରାଜ୍ୟବ୍ୟାପୀ ମହାବିଦ୍ୟାଳୟ ବନ୍ଦ ଡାକରା ଦେବା ସହିତ ୩୦ ତାରିଖ ଠାରୁ ଦିବାରାତ୍ର ଧାରଣା ଆନ୍ଦୋଳନ ଜାରି ରହି ଆସୁଥିଲା l ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ପୁନଶ୍ଚ ଡାକ୍ତରମାନଙ୍କ ଭୂମିକା ସମାଜରେ କେତେ ଗୁରୁତ୍ବପୂର୍ଣ୍ଣ ତାହା ସମସ୍ତେ ଅବଗତ। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଯାଇନାହିଁ। ଅହୋରାତ୍ର ଗଛ ତଳେ ରାତ୍ରି କାଟୁଥୁବା ଦେଶର ଭବିଷ୍ୟତ ଆୟୁଷ ଡାକ୍ତରମାନେ ବାଧ୍ଯ ହୋଇ ଏଭଳି ଚରମ ପନ୍ଥା ଗ୍ରହଣ କରିଛନ୍ତି ବୋଲି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଏଠାରେ ପ୍ରକାଶ ଥାଉକି ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନେ ରାଜ୍ୟବ୍ୟାପୀ ଧଳା କୋଟ ବର୍ଜନ କରିଥିଲେ।ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଆୟୁର୍ବେଦ ମହାବିଦ୍ୟାଳୟରେ ଜନୈକ ଛାତ୍ରଙ୍କୁ ନିଲମ୍ବନ କରାଯାଇଥିଲା l କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୁଷ ବିଭାଗର ଉନ୍ନତି ପାଇଁ ବହୁମୂଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ପରିତାପର ବିଷୟ ଦୀର୍ଘ ଦିନରୁ ସରକାରଙ୍କୁ ଜଣାଇ ଆସୁଥୁବା ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ସଂଘର ଏହି ନ୍ୟାୟସଙ୍ଗତ ଦାବିର କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାନଯିବା ପରିତାପର ବିଷୟ ବୋଲି ଏହି ପ୍ରେସ ବିବୃତିରେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ଆଶ୍ବସନା ଦେଇ ସୁଖର ସ୍ବପ୍ନ ଦେଖାଇ ଆସୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ନୀରବ। ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ନିଜ ସନ୍ତାନ ତୁଲ୍ୟ ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟମନ୍ତ୍ରୀ ଦାବି ପୂରଣ ତ ଦୂରର କଥା ଦେଖା କରିବାକୁ ମଧ୍ୟ ଆସୁନାହାନ୍ତି l ଏହି ପରିସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରିବା ପାଇଁ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅନଶନରେ କୌଣସି ଡାକ୍ତରୀ ଛାତ୍ରଛାତ୍ରୀଙ୍କ କ୍ଷତି ହେଲେ ସରକାର ଦାୟୀ ରହିବେ ବୋଲି ଅଲ୍ ଓଡିଶା ଆୟୁଷ ଷ୍ଟୁଡେଣ୍ଟସ ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି।
