ରାଉରକେଲା ୧୧/୧୨,(ଉତ୍କଳ ସମାଚାର) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ବର ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନ ଠାରେ ୨୦୨୫ ଡିସେମ୍ବର ୧୦ ତାରିଖ ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରବିଆଇ ଉପ-ପ୍ରବନ୍ଧକ ମଧୁକର ଆନନ୍ଦ ସହାୟକ ମହାପ୍ରବନ୍ଧକ ରାହୁଲ କାନ୍ତା, ୟୁକୋ ବ୍ୟାଙ୍କ ସମ୍ବଲପୁରର ଆଞ୍ଚଳିକ ପ୍ରବନ୍ଧକ ଗୌରବ ଚାଟାର୍ଜୀ ଏବଂ ସୁନ୍ଦରଗଡ଼ ଏଲଡିଏମ ଗଗନ ବିହାରୀ ଭାଲ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ଏହାପରେ ଉପ-ମହାପ୍ରବନ୍ଧକ ଆରବିଆଇ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ କରିବା ସହ ମୁଖ୍ୟ ଅଭିଭାଷଣ ରଖିଥିଲେ । ନିଜ ଅଭିଭାଷଣରେ ସେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ରିଜର୍ଭ ବ୍ୟାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ଯ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ବିଷୟରେ ଦୋହରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗୃପରୁ ପ୍ରାୟ ୨୦୦ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍, ଆଇବିଡି ଓ ନିର୍ଗମ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ଵପୂର୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ବାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଫେଡର ସମ୍ପର୍କରେ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାରର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ଯମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା I ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସର୍ବଶେଷରେ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା ।

