ସୁନ୍ଦରଗଡ ୧୧/୧୨,(ଉତ୍କଳ ସମାଚାର) ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଙ୍ଗଲରେ ପ୍ରାଣୀ ସୁରକ୍ଷା ଏବଂ ଔଷଧୀୟ ବୃକ୍ଷର ସୁରକ୍ଷାକୁ ନେଇ ଏକ ଗଣମାଧ୍ୟମ ସମାରୋହ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଖୁସଓ୍ବନ୍ତ ସିଂହଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ବନଖଣ୍ଡ କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଗଣମାଧ୍ୟମ ସମାରୋହରେ ବନଖଣ୍ଡ ଅଧିକାରୀ ଖୁସଓ୍ବନ୍ତ ସିଂହ ଏବଂ ସହକାରୀ ବନ ସଂରକ୍ଷକ ରାଜକୁମାର ସେଠୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ସୁନ୍ଦରଗଡ ବନଖଣ୍ଡ ଅଧିନରେ ୩୫୭୬.୩୯ ବର୍ଗ କିଲୋମିଟରରେ ଅଞ୍ଚଳ ହୋଇଥିବା ବେଳେ, ୬ଟି ବନାଞ୍ଚଳ ଜଙ୍ଗଲ ରହିଛି। ଏହାଛଡା ୨୫ଟି ସେକ୍ସନ, ୧୧୪ଟି ବିଟ୍ ରହିଛି। ସୁନ୍ଦରଗଡ ବନାଞ୍ଚଳରେ ସ୍ତନ୍ୟପାୟୀ, ସରୀସୃପ ଓ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଭରପୂର ରହିଛି। ସମସ୍ତ ବନ୍ଯଜନ୍ତୁ ଏବଂ ଔଷଧୀୟ ବୃକ୍ଷକୁ ସୁରକ୍ଷା ଦେବା ବନ ବିଭାଗର ମୁଖ୍ୟ ଦାୟିତ୍ଵ ଓ କର୍ତ୍ତବ୍ଯ ମଧ୍ୟ। ବନ ବିଭାଗ ତନ୍, ମନ୍, ଧନ ବ୍ଯୟ କରି ଏସବୁର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ। ଏହା ସହ ସୁନ୍ଦରଗଡ ବନଖଣ୍ଡ ଅଧିନରେ ୪୯ଟି ସଂରକ୍ଷିତ ଜଙ୍ଗଲ ଏବଂ ୨୨ଟି ନୂତନ ଜଙ୍ଗଲ ଚିହ୍ନିତ କରାଯାଇଛି। ବିଭାଗ ପକ୍ଷରୁ ବନ୍ଯ ପ୍ରାଣୀ ଓ ବନୀକରଣ ପାଇଁ ଗୁରୁତ୍ଵ ଓ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଉଦ୍ଯାନ ତିଆରି ସହ ଇକୋ ଟୁରିଜିମ୍ କରାଯାଇ, ସେ ଅଞ୍ଚଳର ଜଙ୍ଗଲ କମିଟିକୁ ଦାୟିତ୍ବ ଦିଆଯାଇଥିବା କଥା ସୂଚନା ଦିଆଯାଇଛି। ଏହା ଦ୍ଵାରା କମିଟିର ସଭ୍ଯମାନେ କାମ ପାଇ ରୋଜଗାରକ୍ଷମ ହୋଇପାରିବେ। ଗଣମାଧ୍ୟମ ହିଁ ବନ ବିଭାଗ ଓ ଲୋକମାନଙ୍କ ମଧ୍ୟରେ ଯୋଗସୂତ୍ର। ଏହାଦ୍ବାରା ଲୋକମଙ୍ଗଳ ସହ ଜଙ୍ଗଲ ସୁରକ୍ଷା ଏବଂ ବନ୍ଯଜନ୍ତୁ, ବୃକ୍ଷଲତା ସୁରକ୍ଷିତ ରହିପାରିବେ ବୋଲି ଏହି ଗଣମାଧ୍ୟମ ସମାରୋହରେ ସୂଚନା ଦିଆଯାଇଛି। ଏହି ଗଣମାଧ୍ୟମ ସମାରୋହରେ ବଡଗାଁ ରେଞ୍ଜର ପ୍ରଦୀପ ଭତୁଆ, ସଦର ରେଞ୍ଜର ଉମାଶଙ୍କର ନାଏକ, ଉଜ୍ଜଲପୁର ରେଞ୍ଜର ଦେବୀଦତ୍ତ ନନ୍ଦ, ଗୋପାଳପୁର ରେଞ୍ଜର ହରିହର ମହାପାତ୍ର ଏବଂ ଲେଫ୍ରିପଡ଼ା କନିଷ୍ଠ ରେଞ୍ଜର ପ୍ରକାଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମୂଲ୍ୟବାନ ମତ ଉପସ୍ଥାପିତ କରିଥିଲେ।

