ରାଇଘର. ନରସିଂବାଘ ( ଉତ୍କଳ ସମାଚାର )ତା 13//12-ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କିସାନ ସଙ୍ଘ ପକ୍ଷରୁ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ କୃଷିମନ୍ତ୍ରୀଙ୍କୁ ଚାଷୀ ମାନଙ୍କ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ପ୍ରଥମେ ସମସ୍ତେ ରାଇଘର ସ୍ଥିତ ନୁଆଁ ବସଷ୍ଟାଣ୍ଡରୁ ଏକ ବିଶାଳ ରାଲିରେ ବାହାରି ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦେଇ କୃଷି କାର୍ଯ୍ୟାଳୟରେ ପହଂଚିଥିଲେ ଓ ସ୍ଥାନୀୟ କୃଷି ଅଧିକାରୀଙ୍କୁ ଏହି ଦାବିପତ୍ର ଟି ପ୍ରଦାନ କରିଛନ୍ତି |ଉକ୍ତ ଦାବିପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି କି, ନବରଙ୍ଗପୁର ଜିଲ୍ଲା ଏକ ମକା ବହୁଳ ଜିଲ୍ଲା, ଜିଲ୍ଲାର ରାଇଘର ବ୍ଲକ ମକା ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି, ହେଲେ ମକା ମଣ୍ଡି ନଥିବା ଯୋଗୁଁ ଏଠାକାର ଚାଷୀ ପ୍ରତିବର୍ଷ ଅଭାବି ବିକ୍ରି ତଥା ଶୋଷଣର ଶିକାର ହେଇ ଆସୁଛନ୍ତି |ଚଳିତ ବର୍ଷ ସରକାର ଙ୍କ ଦ୍ୱାରା ମକାର ଧାର୍ଯ୍ୟ ମୂଲ୍ୟ 2090ରହିଥିବା ବେଳେ ଚାଷୀ କିନ୍ତୁ 1200-1400ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି |ମକା ସାଇତି ରଖିବାକୁ ସଂରକ୍ଷଣ ସ୍ଥାନର ଅଭାବ ଯୋଗୁଁ ଚାଷୀ ଏସବୁ କରିବାକୁ ବାଧ୍ୟ ହେଉଥିବା ଦୃଷ୍ଟି ଗୋଚର ହେଉଛି |ତତ ସହିତ ଏଯାଏ ଧାନମଣ୍ଡି ଖୋଲିନଥିବାରୁ ଧାନ ଚାଷୀମାନେ ମଧ୍ୟ ଅଭାବି ବିକ୍ରିର ଶିକାର ହେଉଛନ୍ତି |ତେଣୁ ରାଇଘର ଅଞ୍ଚଳରେ ଅଧିକରୁ ଅଧିକ ମକା ମଣ୍ଡିର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବୀ କରାଯାଇଛି |
