ରାଉରକେଲା ୧୫/୧୨,(ଉତ୍କଳ ସମାଚାର) ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ୍ରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ। ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ୬୨ ପ୍ରତିଶତ ବୃଦ୍ଧି କରି ୩୨ ହଜାରରୁ ୫୨ ହଜାର କରାଯାଇଛି। ସେହିପରି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣକୁ ୬୭ ପ୍ରତିଶତ ବୃଦ୍ଧି ହେବା ସହ ମାସିକ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି।ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ ବୋଲି ସୂଚନା ଦିଆଯାଇଛି।
