ରାଉରକେଲା ୧୬/୧୨,(ଉତ୍କଳ ସମାଚାର) ରେଳବାଇ ଚାକିରୀ ସହ ବିଭିନ୍ନ ସରକାରୀ ଚାକିରି କରାଇଦେବା ନାମରେ ଚାକିରି ଆଶାୟୀ ପିଲାଙ୍କ ପାଖରୁ ନେଇଥିଲା ଲକ୍ଷ ଲକ୍ଷ ଟଙ୍କା ! ଏହା ବଦଳରେ ଦେଉଥିଲା ନକଲି ନିଯୁକ୍ତି ପତ୍ର ! କୋରାପୁଟ, ମାଲକାନଗିର ପରେ ରାଉରକେଲାରେ କରିଥିଲା କାୟା ବିସ୍ତାର ! ଏମିତି ଏକ ଠକକୁ ବାନ୍ଧିଛି ରାଉରକେଲା ଛେଣ୍ଡ ଥାନା ପୋଲିସ୍। ସୂଚନା ଅନୁସାରେ ଛେଣ୍ଡ ଥାନା ଅଧିକାରୀ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, କୋରାପୁଟ ର ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ କୁମାର ସାହୁ, ଚାକିରି ଆଶାୟୀ ପିଲାମାନଙ୍କ ଠାରୁ ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ନେଇଥିଲା ଏବଂ ସେମାନଙ୍କୁ ଜାଲ ନିଯୁକ୍ତି ପତ୍ର ଦେଇଥିଲା। ଏହି ମିଛ ଜଣାପଡିବା ପରେ ସେ କୋରାପୁଟ ଜୟପୁରରୁ ଫେରାର ହୋଇ ରାଉରକେଲା ଛେଣ୍ଡରେ ପ୍ରାୟ ବର୍ଷେ ହେବ ରହୁଥିବା ଛେଣ୍ଡ ପୋଲିସକୁ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଛେଣ୍ଡ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ରେଲୱେ ଚାକିରୀ ଜାଲ ନିଯୁକ୍ତି ପତ୍ର ଏବଂ ବହୁ ପିଲାମାନଙ୍କ ବାୟୋଡାଟା ଅଭିଯୁକ୍ତ ପାଖରୁ ମିଳିଥିଲା। ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ କୋରାପୁଟ, ଜୟପୁର, ମାଲକାନଗିରି, ବ୍ରହ୍ମପୁର ଅଞ୍ଚଳରୁ ୩୯ ଲକ୍ଷ ୨୦ହଜାର ଟଙ୍କା ଚାକିରି କରାଇଦେବା ନାମରେ ଠକି ନେଇଛି। ରାଉରକେଲାରୁ ମଧ୍ୟ ବହୁ ପିଲାମାନଙ୍କ ଠାରୁ ବାୟୋଡାଟା କଲେକ୍ସନ କରି ନିଜ ପାଖରେ ରଖିଥିଲା ବୋଲି ସୂଚନା ମିଳିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।


