ରାଉରକେଲା:17//12,(ଉତ୍କଳ ସମାଚାର) ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମୁଖ୍ୟର ସାଧାରଣ ସମ୍ପାଦିକା ରଶ୍ମିବାଳା ରାଉତରାୟ ଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଇଂ ଅଭୟ କୁମାର ଦାସ ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପିକା ଡ ମୀନତି ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ଆଲୋଚ୍ୟ ବିଷୟ ଆଧୁନିକ ଜୀବନ ଶୈଳୀ ଉପରେ ବର୍ତ୍ତମାନ ଶିକ୍ଷାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡ ପଣ୍ଡା ତାଙ୍କ ବକ୍ତବ୍ୟରେ ଗୁଣାତ୍ମକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ସମ୍ବେଦନଶୀଳତା ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷାର ମୂଳଲକ୍ଷ୍ୟ ଉପରେ ମତ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କଲେ ଅର୍ଥନୀତି ଓ ସାମାଜିକ ସଦଭାବନା ନଷ୍ଟ ହେବା ସହ ଦେଶ ନଷ୍ଟ ହୋଇଯାଏ। ମୁଖ୍ୟବକ୍ତା ଶ୍ରୀ ଚାଟାର୍ଜୀ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା, ପରମ୍ପରା ନାମରେ ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରସାର ବଦଳରେ କ୍ଷୁଦ୍ର ମାନସିକତାରୁ ବାହାରିବାକୁ ମତ ରଖିଥିଲେ। ଅନ୍ୟତମ ବକ୍ତା ଜ୍ଞାନରଞ୍ଜନ ମିଶ୍ର ଶିକ୍ଷାରେ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତିତ୍ବ ଅଭିଭାଷଣରେ ଇଂ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ପରିବର୍ତ୍ତନ ଶୀଳ। ଉପଯୁକ୍ତ ସଂସ୍କାର ପ୍ରତି ଗୁରୁତ୍ୱାରୋପ ସହ ଅଧାରୁ ପାଠ ଛାଡୁଥିବା ଏକ ସମସ୍ୟା ବୋଲି ମତ ରଖିଥିଲେ। ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଗାଳ୍ପିକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ” ଭିଆଇପି ଭିକାରୀ” ଶୀର୍ଷକ ଗଳ୍ପପାଠ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ କବିତା ଆସରରେ ସୁଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିଲାବେଳେ କବି କୁଞ୍ଜବିହାରୀ ରାଉତ ଓ ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପଲେଇ କବିତା ଗୁଡ଼ିକ ସଂଯୋଜନା କରିଥିଲେ। ସର୍ବଶ୍ରୀ ଉପେନ୍ଦ୍ର କୁମାର ବସ୍ତିଆ, ସତ୍ୟନାରାୟଣ ଦାଶ,ଦିବାକର ଦାସ, ଉର୍ବଶୀ ଦାଶ ପତି, ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ, ଭୀମସେନ ସାହୁ, କୁଞ୍ଜବିହାରୀ ରାଉତ, ପ୍ରିୟଙ୍କା ପଲେଇ ଓ ସୁଶାନ୍ତ କୁମାର ନାୟକ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ସାହୁ,ରାଖାଲ ମହାନ୍ତି, ବ୍ରଜକିଶୋର ପାଣି, ଅଜିତ ମୋହନ ପୂଜାରୀ, ଦେବେନ୍ଦ୍ର କୁମାର ବଳ, ସୂର୍ଯ୍ୟ ନାରାୟଣ ପଣ୍ଡା,ପ୍ରୀତମ ମହାନ୍ତି,ଗୈ।ରବ ସିଂହ,ସୋମଦତ୍ତ ପ୍ରଧାନ, ଗୀତା ମହାରଣା, ଅଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

