ରାଉରକେଲା ୧୭/୧୨,(ଉତ୍କଳ ସମାଚାର) ସରକାରୀ ଜମିକୁ କାଗଜପତ୍ର କରିଦେବା ଏବଂ ବିକ୍ରୟ କରିଦେବାକୁ କହି ଜଣେ ବ୍ଯକ୍ତିଙ୍କ ଠାରୁ ୪ ଲକ୍ଷ ୮୫ ଠକି ନେବା ଅଭିଯୋଗରେ ରାଉରକେଲା ଝିରପାଣି ପୋଲିସ୍ ୨ ଜଣ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତ ୨୦୨୫ ଅକ୍ଟୋବର ୨୪ ତାରିଖ ରାତି ୧୦ଟା ସମୟରେ କୋଏଲନଗର ସି ବ୍ଲକ୍ ୫୭୮ର ସଞ୍ଜିବ କୁମାର ନାୟକ (୬୦) ରାଉରକେଲା ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବିରେନ୍ଦ୍ର ନାୟକ (୩୨) ଏବଂ ବିଜୟ କେତନ ରାଉତରାୟ (୫୨) ଦୁଇଜଣ ଅଭିଯୁକ୍ତ ପ୍ରତାରଣା କରି ଝିରପାଣି ଥାନା ପଛପଟେ ଥିବା ୫୦ ଡିସିମିଲ୍ ସରକାରୀ ଜମି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଝିରପାଣି ଥାନା ପଛପଟେ ଥିବା ୫୦ ଡିସିମିଲ ସରକାରୀ ଜମିକୁ କାଗଜପତ୍ର ସମାଧାନ ପାଇଁ ଅଭିଯୁକ୍ତମାନଙ୍କୁ ୪,୮୫୦୦୦ (ଚାରି ଲକ୍ଷ ପଞ୍ଚାଅଶି ହଜାର) ଟଙ୍କା ଦେଇଥିଲେ। ତଦନ୍ତ ପୋଲିସ ଜାଣିବାକୁ ପାଇଥିଲା ଯେ ଦୋଷୀମାନେ ଅଭିଯୋଗକାରୀଙ୍କ ପରିବାର ସଦସ୍ୟଙ୍କ ନାମରେ ଜମି କାଗଜପତ୍ର ଜାଲ କରିଛନ୍ତି ଏବଂ ଲାଭ ପାଇଁ ସେମାନଙ୍କୁ ଠକିଛନ୍ତି। ପୋଲିସ୍ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ଦଣ୍ଡିଆପାଲି ଦୟାନନ୍ଦ ନଗରର ବୀରେନ୍ଦ୍ର ନାୟକ (୩୨) ଏବଂ କୋଏଲନଗର ବି/୩୩୭ର ବିଜୟ କେତନ ରାଉତରାୟ (୫୨)ଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ଅଭିଯୁକ୍ତ ବ୍ୟକ୍ତିଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍, ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ ଏବଂ ଅଭିଯୋଗକାରୀ ପରିବାରଙ୍କ ନାମରେ ସରକାରୀ ଜମି ବନ୍ଦୋବସ୍ତ ସମ୍ପର୍କରେ ଜାଲ୍ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଅଭିଯୁକ୍ତ ବୀରେନ୍ଦ୍ର ନାୟକ (୩୨) ଏବଂ ବିଜୟ କେତନ ରାଉତରାୟ (୫୨)ଙ୍କ ନାମରେ ଝିରପାଣି ଥାନାର କେସ୍ ନମ୍ବର ୧୨୯ ରୁଜୁ କରାଯିବା ସହ ଭାରତୀୟ ନ୍ଯାୟ ସଂହିତାର ବିଭିନ୍ନ ଧାରାରେ କୋର୍ଟ ଚାଲାଣ କରାଯାଇଛି ।

