ସୁନ୍ଦରଗଡ଼ ୧୭/୧୨,(ଉତ୍କଳ ସମାଚାର) ସ୍ଥାନୀୟ ଭବାନିପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଚଳିତ ଡିସେମ୍ବର ୧୩ ତାରିଖରୁ ଚାଲିଥିବା ସାଂସଦ ଖେଳ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ , ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର, ଆନ୍ତର୍ଜାତୀୟ ଧାବିକା ସୁଶ୍ରୀ ଦୁତି ଚାନ୍ଦ, ଆନ୍ତର୍ଜାତୀୟ ସାଇକେଲିଷ୍ଟ ଶ୍ରୀମତୀ ମିନତୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ରେଞ୍ଜ ଆରକ୍ଷୀ ଉପ-ମହାନିରୀକ୍ଷକ ଶ୍ରୀ ରାୟ ଯୋଗ ଦେଇଥିବା ସମସ୍ତ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କ୍ରୀଡାକୁ ଆହୁରି ଅଧିକ ଗୁରୁତ୍ବ ଦେବା ଉପରେ ନିଜ ଅଭିଭାଷଣରେ କହିଥିଲେ। ଏହି କ୍ରୀଡା ମହୋତ୍ସବ ଆୟୋଜନ ଦ୍ଵାରା ତୃଣମୂଳ ସ୍ତରରୁ କ୍ରୀଡାବିତମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ତଥା ମାର୍ଗଦର୍ଶନ ପ୍ରଦାନ ପୂର୍ବକ ସେମାନଙ୍କୁ ଆହୁରି ଆଗକୁ ବଢିବା ସହିତ ଅନ୍ୟାନ୍ୟ ବଡ଼ ବଡ ପ୍ରତିଯୋଗିତା ନିମନ୍ତେ ମଧ୍ୟ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି କହିଥିଲେ। ଗତ ଚାରି ଦିନ ଧରି ଚାଲିଥିବା ଏହି ସାଂସଦ କ୍ରୀଡା ମହୋତ୍ସବରେ ୧୫ଟି ବର୍ଗରେ ସମଗ୍ର ସାତଗୋଟି ବିଧାନସଭା କ୍ଷେତ୍ରରୁ ପ୍ରାୟ ୩୩ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିଥିଲେ ଏବଂ ଗ୍ରାମ ପଞ୍ଚାୟତ ସ୍ତର, ବ୍ଲକ ସ୍ତର ଦେଇ ୩ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ପୂର୍ବତନ ସୁନ୍ଦରଗଡ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲା ସଭାପତି ଗିରୀଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ନାଏକ, ଓଡ଼ିଶା ତୀରନ୍ଦାଜ୍ ସଙ୍ଘର ଉପ-ସଭାପତି ତଥା ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ ବଟକିଶୋର ମିଶ୍ର, ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁକେଶି ଓରାମ, ସହ ସଂଯୋଜକ ଅଭୟ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ, ନରସିଂହ ମିଞ୍ଜଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ, ଅତିଥିବୃନ୍ଦ, କ୍ରୀଡା ଶିକ୍ଷକ, କୋଚ, ରେଫରୀ, ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଗତ ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

