ସୁନ୍ଦରଗଡ଼ ୧୭/୧୨,(ଉତ୍କଳ ସମାଚାର)ମଙ୍ଗଳବାର ଦିନ ସୁନ୍ଦରଗଡରେ ଉଦ୍ଘାଟିତ ହୋଇଯାଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ସ୍ଥାନୀୟ ମାଦ୍ରୀ କାଲୋ ଭବନ ପଡ଼ିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଫିତା କାଟି ଉଦ୍ଘାଟନ କରିଥିଲେ ସୁନ୍ଦରଗଡ ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର। କୃଷକମାନଙ୍କୁ ଆଧୁନିକ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା କମ୍ ପରିଶ୍ରମରେ ଅଧିକ କୃଷି ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି ଏହି କୃଷି ଯନ୍ତ୍ରପାତି ମେଳା। ଏହି ମେଳା ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଚଳିତ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି। ମେଳାର ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ନୂତନ ଯନ୍ତ୍ର ଓ କୃଷି ଉପକରଣ ସହିତ ପରିଚୟ କରାଇବା ତଥା ବିକ୍ରେତା, ଆର୍ଥିକ ଅନୁଷ୍ଠାନ ସରକାରୀ ବିଭାଗ ଆଦି ସହ ସଂଯୋଗିକରଣକୁ ସୁନିଶ୍ଚିତ କରାଇବା। ଏଠାରେ କୃଷକମାନେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ ଆଦିର ବ୍ୟବହାର କିଭଳି କରିବେ ତାହା ପ୍ରଦର୍ଶନ ( live demonstration) ମାଧ୍ୟମରେ ମଧ୍ୟ ଜ୍ଞାନ ଆହରଣ କରି ପାରିବେ ଏବଂ ବିଭିନ୍ନ ସହାୟତା ଯୋଜନା ଉପରେ ମଧ୍ୟ ତଥ୍ୟ ପାଇ ପାରିବେ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲାଲ ବିହାରୀ ମଲ୍ଲିକ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ାକ୍ତର ମହାପାତ୍ର କୃଷକମାନେ ନୂତନ ଜ୍ଞାନ କୌଶଳ ସହିତ କୃଷି ଯନ୍ତ୍ରପାତିଗୁଡ଼ିକର ବ୍ୟବହାର କରିବା ଉପରେ ଗୁରୁତ୍ଵାରୋପ କରିବା ସହିତ ଏହାକୁ ବ୍ୟବହାର କରି ଚାଷୀ ତାଙ୍କ ଚାଷ କ୍ଷେତ୍ରରେ ଉନ୍ନତି ଆଣିବା ସହ ଆର୍ଥିକ ସ୍ତରରେ ମଧ୍ୟ ସଶକ୍ତ ହୋଇପାରିବେ ବୋଲି କହିଥିଲେ। କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀମାନଙ୍କୁ ସହଯୋଗ କରିବା, ଚାଷୀମାନେ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ପାଇବେ ବିଷୟ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିପରି ଏହି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ଦ୍ଵାରା କୃଷକଙ୍କ ସମୟ, ଶ୍ରମ, ଅର୍ଥ ମଧ୍ୟ ଅପଚୟ ନହେବା ସହିତ ଏହା ଚାଷୀମାନଙ୍କର ଆୟକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଷି ଓ କୃଷକଙ୍କର ବିକାଶ ନିମନ୍ତେ ଆୟୋଜିତ ହୋଇଥିବା ଏହି ମେଳାରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲମାନ ନିର୍ମାଣ କରାଯାଇଛି। ଏହି ଅବସରରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଚାଷୀମାନଙ୍କୁ ଏହି ମେଳାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କୃଷକମାନେ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ସମ୍ପର୍କରେ ବୁଝିବା ସହିତ କୃଷି ଯନ୍ତ୍ରପାତି ଏବଂ ଉପକରଣ ମଧ୍ୟ କ୍ରୟ କରିଥିଲେ। ସେହିଭଳି ବିଭିନ୍ନ ସାଂସ୍କୃତିକ ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସଦର ଉପଜିଲ୍ଲାପାଳ ତେଜସ୍ଵିନୀ ବେହେରା, ଉତ୍ତରାଞ୍ଚଳ ଅଧିକ୍ଷଣ ଯନ୍ତ୍ରୀ (କୃଷି) ନରେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ସନ୍ତୋଷ ପାଣିଗ୍ରାହୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ସୁକାନ୍ତ ନାୟକ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି) ପରମାନନ୍ଦ ପ୍ରଧାନ ଏବଂ ଏ ଆଇ ସି ର ଜିଲ୍ଲା ପରିଚାଳକ ସୁବୋଧ ତନୟ ପାଣିଗ୍ରାହୀ, ସମସ୍ତ ଜିଲ୍ଲା କୃଷି ଅଧିକାରୀ, ସମସ୍ତ ବ୍ଲକ୍ କୃଷି ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, କୃଷକମାନେ ଯୋଗ ଦେଇଥିଲେ।

