ରାଉରକେଲା ୧୯/୧୨,(ଉତ୍କଳ ସମାଚାର) ଆଜି ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦ୍ଘାଟିତ ହୋଇଯାଇଛି ଦ୍ବିତୀୟ ବାର୍ଷିକ ପୋଲିସ୍ କ୍ରୀଡା ଉତ୍ସବ-୨୦୨୫। ଦୁଇଟି ବୟସ ବର୍ଗରେ ଆୟୋଜିତ ତ୍ରୀଦିବସିୟ କ୍ରୀଡା ଉତ୍ସବକୁ ଆଜି ଉଦ୍ଘାଟନ କରିଥିଲେ ମୁଖ୍ଯ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ। ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ବିଜୟ କୁମାର, ଓ.ଏସ୍.ଏ.ପି. ଚତୁର୍ଥ ବାଟାଲିଅନ୍ କମାଣ୍ଡାଣ୍ଟ ପ୍ରମୋଦ କୁମାର ଜେନା, ରିଜର୍ଭ ପୋଲିସ୍ ଇନିସପେକ୍ଟର ସମିତ୍ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ଯ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜି ଯେଉଁ ଦ୍ବିତୀୟ ବାର୍ଷିକ ପୋଲିସ୍ କ୍ରୀଡା ମହୋତ୍ସବ ଆୟୋଜନ କରାଯାଉଛି। ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କୁ ଏହି କ୍ରୀଡା ମହୋତ୍ସବ ଆୟୋଜନ ପାଇଁ ଧନ୍ୟବାଦ ଦିଆଯାଉଛି। ପ୍ରଥମ ବର୍ଷରେ କ୍ରୀଡା ମହୋତ୍ସବର ସଫଳ ଆୟୋଜନ କରାଯାଇଥିଲା। ପ୍ରତ୍ଯେକ ବର୍ଷ ପୋଲିସ୍ କ୍ରୀଡା ମହୋତ୍ସବ ଆୟୋଜନ ହେବାର ପରମ୍ପରା ରହିଛି। କୌଣସି ଅସୁବିଧା ବଶତଃ କ୍ରୀଡା ମହୋତ୍ସବ ବନ୍ଦ ହୋଇଯାଇଥାଏ, କିନ୍ତୁ ପ୍ରତ୍ୟେକ ବର୍ଷ ଏହି କ୍ରୀଡ଼ା ମହୋତ୍ସବ ଆୟୋଜନ ହେବାର ଓଡିଶା ପୋଲିସର ପରମ୍ପରା ରହିଛି। ଆଜି ଆରକ୍ଷୀ ଅଧିକ୍ଷକଙ୍କ ପ୍ରଚେଷ୍ଟାରେ ପୋଲିସ୍ ଅଫିସରମାନେ ଏହି କ୍ରୀଡ଼ା ମହୋତ୍ସବରେ ଭାଗ ନେଇଛନ୍ତି। କାର୍ଯ୍ଯର ବିଶେଷ ଭାର ଥିବା ସତ୍ତ୍ୱେ ଅଫିସରମାନେ ଏହି କ୍ରୀଡା ମହୋତ୍ସବରେ ଯୋଗଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଉଛି। ଏହାଦ୍ବାରା ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ହେବା ସହିତ ଖେଳ ସେମାନଙ୍କ ପାଇଁ ଏକ ଜରୁରୀ ଅଙ୍ଗ ଅଛି। ଏହି ତ୍ରୀଦିବସିୟ କ୍ରୀଡ଼ା ମହୋତ୍ସବରେ ଯେଉଁମାନେ ଭାଗ ନେଉଛନ୍ତି, ସେମାନେ ସମ୍ପ୍ରଦାୟ ବିକାଶ ସହିତ ଶାରିରୀକ ଓ ମାନସିକ ବିକାଶ ସକାରାତ୍ମକ ଭାବରେ ହେବ ବୋଲି ମୁଖ୍ୟ ଅତିଥି ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ କହିଥିଲେ। ୪୦ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ପୋଲିସ୍ କ୍ରୀଡାରେ ଭାଗ ନେଉଥିବା ଆଥଲେଟିକ୍ କ୍ରୀଡା ପ୍ରଦର୍ଶନ କରିବାକୁ ଥିବା ବେଳେ, ୪୦ ବର୍ଷରୁ କମ୍ ବର୍ଗର ପୋଲିସ୍ କ୍ରୀଡାରେ ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ୧୦୦ ମିଟର ଦୌଡ, ୫୦୦ ମିଟର ଦୌଡ, ସର୍ଟଫୁଟ୍, ଜେଭଲିନ ଥ୍ରୋ, ଭଲିବଲ୍, କ୍ରିକେଟ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ବିଭିନ୍ନ ଥାନାରୁ ଆସିଥିବା ଥାନା ଅଧିକାରୀମାନେ ୧୦୦ ମିଟର ଦୌଡରେ ଅଂଶଗ୍ରହଣ କରିଥିଲେ।


