ରାଉରକେଲା ୨୩/୧୨,(ଉତ୍କଳ ସମାଚାର) ଗତ ଡିସେମ୍ବର ୧୩ ତାରିଖ ମଧ୍ୟରାତ୍ରରେ ପ୍ରଶାସନ ଓ ପୋଲିସ ବାହିନୀର ସହଯୋଗରେ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ପରି ଏକ ଘରୋଇ କମ୍ପାନୀକୁ ସ୍ଥାନୀୟ ଲୋକଙ୍କ ସମ୍ମତି ବିନା ବେନିୟମ ଭାବେ ଲାଞ୍ଜିବେର୍ଣ୍ଣାର ଚାଷଜମି ଅକ୍ତିଆର କରିବା ସହିତ ଫସଲକୁ ନଷ୍ଟ କରିବା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ପୁଲିସ ବାହିନୀର ସହଯୋଗରେ ଯେପରି ବେଆଇନ ଭାବେ ଗ୍ରାମ ସଭା ଏବଂ ଜମି ମାଲିକମାନଙ୍କର ସମ୍ମତି ନଥାଇ ଚଣା ଏବଂ ମସୁର ବୁଣା ଯାଇଥିବା ଫସଲ ଜମିକୁ ନଷ୍ଟ କରିଦିଆଗଲା ତାହା କର୍ପୋରେଟ ଆତଙ୍କବାଦ ତଥା ସରକାରୀ ପ୍ରାୟୋଜିତ ଭୂମି ଚୋରି ସହିତ ସମାନ ବୋଲି ରାଉରକେଲା ସେକ୍ଟର-୮ ଗାଙ୍ଗପୁର ମଜଦୁର ମଞ୍ଚ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହା ବ୍ୟକ୍ତିର ସ୍ବାଧୀନତା ଓ ସାମ୍ବିଧାନିକ ଅଧିକାର ଉପରେ ଅତି ସାଂଘାତିକ ଆକ୍ରମଣ ଏବଂ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଆଦିବାସୀଙ୍କ ଉପରେ ଆକ୍ରମଣ ରାଜ୍ୟର ପ୍ରାକୃତିକ ସମ୍ପଦ ହରିଲୁଟ ହେବାର ଏକ ସୂଚନା ବୋଲି ପ୍ରକାଶ କରାଯାଇଛି। ବିଡମ୍ବନା ଓ ଦୁଃଖର ବିଷୟ ହେଲା ଯେ, ଦେଶର ରାଷ୍ଟ୍ରପତି ଜଣେ ଆଦିବାସୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ଯ ଜଣେ ଆଦିବାସୀ ହୋଇଥିଲା ବେଳେ ସୁନ୍ଦରଗଡ଼ର ସାଂସଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିବା ବେଳେ ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଏବଂ ଜମି ଯାହା ସେମାନଙ୍କର ଜୀବନ ଜୀବିକା ସୁରକ୍ଷିତ ହୋଇରହିନାହିଁ I ଆଜି ସରକାର ଏବଂ ଜିଲ୍ଲା ପ୍ରଶାସନ ଓସିଏଲ୍ ବା ଆଜିର ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ (OCL/DCBL Private) କମ୍ପାନୀ ଆଗରେ ମୁଣ୍ଡ ନୁଆଇଁ ବସିଛି। ଏହାଠୁ ନିନ୍ଦନୀୟ ଆଉ କଣ ରହିଲା ବୋଲି କହିଛନ୍ତି ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମନ୍ତରା। ସେ ଆହୁରି କହିଛନ୍ତି ରାଜ୍ୟର ଶାସକ ଦଳ ସମେତ ସମସ୍ତ ରାଜନୈତିକ ଦଳ କ୍ଷତିଗ୍ରସ୍ତ ଜମି ଓ ଆନ୍ଦୋଳନରତ ଗ୍ରାମବାସୀମାନଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରି ସ୍ପଷ୍ଟ କରନ୍ତୁ ଯେ ଆଇନ ଓ ସାମ୍ବିଧାନିକ ଅଧିକାର ଛିନ୍ନ କରି ଅମାନୁଷିକ ରାଷ୍ଟ୍ର ହିଂସା ଦ୍ଵାରା ବିକାଶ ନାମରେ ବିନାଶ ଗ୍ରହଣୀୟ କି ନୁହେଁ, ପ୍ରଶ୍ନ କରିଛନ୍ତି ପ୍ରଫୁଲ୍ଲ ସାମନ୍ତରା। ଫୋରମ୍ ଗ୍ରାମ ସଭା କମିଟିର ନେତୃତ୍ବରେ ଲାଞ୍ଜିବେର୍ଣ୍ଣାରେ ଚାଲିଥିବା ଆଦିବାସୀମାନଙ୍କ ସଂଗ୍ରାମରେ ନ୍ଯାସନାଲ ଏଲିଆନ୍ସ ଅଫ୍ ପିପୁଲସ୍ ମୁଭମେଣ୍ଟ ଆନ୍ଦୋଳନ ସହ ରହିଛି ଓ ରହିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ସରପଞ୍ଚ ପୁଷ୍ପା କେର୍କେଟା, ବିବୋଲ ଟପ୍ପୋ, ମୁନହର ଟପ୍ପୋ, ଏଲିଷଭା କେର୍କେଟା, ହୁରଜତ୍ କେର୍କେଟା, ବୁଦ୍ଧରାମ କେର୍କେଟା, ରାକେଶ ରୋଷନ ଡୁଙ୍ଗଡୁଙ୍ଗ, ନିରଞ୍ଜନ କେର୍କେଟା, ହରମୋନ୍ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

