ରାଉରକେଲା ତା.24//12,(ଉତ୍କଳ ସମାଚାର), ମ୍ୟୁନିସିପାଲ ମହାବିଦ୍ୟାଳୟ ରାଉରକେଲା ଓ PM-USHA ମିଳିତ ସହଯୋଗରେ ଆୟୋଜିତ ପଞ୍ଚଦିବସୀୟ ଅଧ୍ୟାପନା ଦକ୍ଷତା ବିକାଶ କର୍ମଶାଳାର ଆଜି ଉଦଯାପନ ହୋଇଯାଇଛି। ଏହି କର୍ମଶାଳାଟି ୧୯ ଡ଼ିସେମ୍ବର ୨୦୨୫ ରୁ ଆରମ୍ଭ ହୋଇ ୨୩ ଡ଼ିସେମ୍ବର ପର୍ଯ୍ୟନ୍ତ ଚାଲିଥିଲା। ଏହା “ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା: ପ୍ରସଙ୍ଗ ଆହ୍ବାନ ଏବଂ ପ୍ରସ୍ତାବ” ସନ୍ଧର୍ଭ ଭିତ୍ତିରେ ଆୟୋଜିତ ହୋଇଥିଲା ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫୦ ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ସ୍ତରୀୟ ଅଧ୍ୟାପକ ଅଧ୍ୟାପିକା ପ୍ରତିନିଧିଗଣ ଏହି କର୍ମଶାଳରେ ଯୋଗଦାନ କରି ବିଷୟ ବିଶେଷଜ୍ଞ ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭିକ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି କର୍ମଶାଳାର ମୁଖ୍ୟ ଉଦ୍ଧେଶ୍ୟ ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ତଥା ପାଠ୍ୟକ୍ରମକୁ ସହଜ, ରୋଚକ ଢଙ୍ଗରେ ପ୍ରକାଶ କରିବା ବୋଲି କହିଥିଲେ। ଏହି ପଞ୍ଚଦିବସୀୟ କର୍ମଶାଳାଟି ଦଶଗୋଟି ସତ୍ରରେ ବିଭାଜିତ ହୋଇଥିବାବେଳେ ପ୍ରତ୍ୟେହ ପ୍ରଥମ ସତ୍ର କୃତ୍ରିମ ବୁଦ୍ଧିମତା ସମ୍ବନ୍ଧରେ ଆଲୋଚନା ଓ ତଥ୍ୟ ପ୍ରଦାନ ସହିତ ଦ୍ବିତୀୟ ସତ୍ରରେ ପ୍ରାପ୍ତ ସୂଚନାର ବ୍ୟବହାରିକତା ଭିତ୍ତିକ ତାଲିମ ପ୍ରଦାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଲବ୍ଧ-ପ୍ରତିଷ୍ଠିତ ଅନୁଷ୍ଠାନ ମାନଙ୍କର ବିଭିନ୍ନ ବିଭାଗର ବୈଷୟୀକ ଦକ୍ଷ ପ୍ରଫେସର ମାନେ ଯଥା ଏନ୍.ଆଇ.ଟି ର ପ୍ରଫେସର ପ୍ରଫେସର ମନୀଶ ଓକଡେ ଓ ଡଃ. ଶିବରାମ ପାଣିଗ୍ରାହୀ, ଜାଭିୟର ଇନିଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଯାଦବ ଓ ଡଃ. ସିଦ୍ଧାର୍ଥ ମିଶ୍ର, ବିର୍ଲା ଗ୍ଲୋବାଲ୍ ୟୁନିବର୍ସିଟିର ପ୍ରଫେସର ଡଃ. ଶୁଭେନ୍ଦୁ କୁମାର ପ୍ରତିହାରି, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ମହାଳିକ ତଥା ଆମେଟି ବିଶ୍ବବିଦ୍ୟାଳୟ ରାଞ୍ଚିର ଅଧ୍ୟାପିକା ଡଃ ପଲ୍ଲବି କାନୁନଗୋ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରତିନିଧି ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସେମାନଙ୍କ ଶିକ୍ଷାଦାନ ତଥା ଗବେଷଣାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସଂପର୍କରେ ଅବଗତ କରେଇଥିଲେ। କର୍ମଶାଳାର ଅନ୍ତିମ ଦିବସରେ ପ୍ରତିନିଧି ଅଧ୍ୟାପକ ଅଧ୍ୟାପିକା ପଞ୍ଚ ଦିବସ ବ୍ୟାପି ଗ୍ରହଣ କରିଥିବା ତଥ୍ୟର ଉଚ୍ଚ ଶିକ୍ଷାରେ କାର୍ଯ୍ୟକାରି ଦିଗଟି ସମ୍ପର୍କରେ ଆଲୋଚନା କରିବା ସହ ଏକ ଏକ ପ୍ରଦର୍ଶନୀ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ। କର୍ମଶଳାର ଉଦଯାପନ ଦିନର ମୁଖ୍ୟଅତିଥି ଭାବେ ଏନ. ଆଇ. ଟି. ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, ସମ୍ମାନୀତ ଅତିଥ ଭାବେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରାୟ ପ୍ରବନ୍ଧକ ତଥା ମୁଖ୍ଯ ଭାରତ ସଂଚାର ନିଗମ ଲିମିଟେଡ ଏବଂ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଡଃ ଅଜୟ କୁମାର ମିଶ୍ର, ମୁଖ୍ଯବକ୍ତା ଭାବେ ପ୍ରଫେସର ଚନ୍ଦନ କୁମାର ସାହୁ ଯୋଗଦେଇ ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏପରି ଏକ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଆୟୋଜକ ମଣ୍ଡଳିଙ୍କୁ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଆୟୋଜନ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ, ସର୍ବଶ୍ରୀ ଆକାଶ ଚନ୍ଦ୍ର ଦାସ, ଆଶୀର୍ବାଦ ମାଝି, ଅର୍ଘଦୀପ ବାନାର୍ଜୀ, କୌଶିକ ଚୌଧୁରୀ, ସୁଶ୍ରୀ ଶିଳ୍ପୀ ଲାକ୍ରା, ସୁଶ୍ରୀ ସୁଜାତା ତାଣ୍ଡି, ଶ୍ରୀମତୀ ପ୍ରିୟଙ୍କା ମହାନ୍ତି, ଶ୍ରୀମତୀ ଚନ୍ଦ୍ରଲେଖା ପଣ୍ଡା , ଶ୍ରୀମତୀ ସୁଦିପ୍ତି କେରକେଟା ପ୍ରମୁଖ ଏହାର ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିହର ଦାଶ, ପ୍ରାକ୍ତନ ଅଧକ୍ଷ୍ୟ ଡଃ. ସନାତନ ପଧାନ, ଡଃ. ଅଜୟ କୁମାର ମିଶ୍ର, ପ୍ରାକ୍ତନ ପ୍ରଧ୍ୟାପକ ଶ୍ରୀଯୁକ୍ତ ଗୋଲକ ବିହାରୀ ଦଳବେହେରା, ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି, ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ରୁମା ସାହୁ, ଶ୍ରୀମତୀ ଅର୍ପିତା ମହାପାତ୍ର ପ୍ରମୁଖ ବିଭିନ୍ନ ସତ୍ରରେ ସଭାପତିତ୍ବ କରିଥିଲେ। ପରିଶେଷରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ତଥା ବୌଦ୍ଧିକ କଳ୍ପବଟ ରୋପଣପରାନ୍ତ ଆନୁଷ୍ଠାନିକ ଭାବେ କର୍ମଶାଳାର ଉଦଯାପନ ହୋଇଥିଲା। ଏହି କର୍ମଶାଳା ମହାବିଦ୍ୟାଳୟର ସମସ୍ତ ଅଧ୍ୟପକ ଅଧ୍ୟାପିକା, ସହାୟକ କର୍ମୀମାନଙ୍କ ସହଯୋଗରେ ସଂପାଦିତ ହୋଇଥିଲା।

