ରାଇଘର. ନରସିଂବାଘ:24//12, (ଉତ୍କଳ ସମାଚାର ) ମକାର ଅଭାବି ବିକ୍ରି ସାଙ୍ଗକୁ ମଣ୍ଡିରେ ଧାନ କିଣା ଯାଉନଥିବା ଯୋଗୁଁ ଗତ 22 ତାରିଖରେ ଆରମ୍ଭ କରଯାଇ ଥିବା ଚାଷୀ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଂଚିଛି |ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲାର ବିରୋଧି ଦଳର ସମସ୍ତ ନେତା ଓ ଗଣନାୟକ ମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି |ଗତ ସୋମବାର ଦିନ ଝରିଗାଁ ଚାଷୀ ମହାସଂଘର ଆହ୍ୱାନ କ୍ରମେ ରାଇଘର ଓ ଉମରକୋଟ ବ୍ଲକର ସମସ୍ତ ଚାଷୀକୂଳ ଝରିଗାଁ ଛକରେ ଟ୍ରାକ୍ଟର, ମକା ଓ ଧାନ ବସ୍ତା ସବୁ ରାସ୍ତାରେ ରଖି ଆନ୍ଦୋଳନ ଆରମ୍ଭ କରିଥିଲେ |ଏଥିରେ ବିରୋଧୀ ଦଳର ନେତାମନ୍ତ୍ରୀ ମାନେ ମଧ୍ୟ ସାମିଲ ରହି ଆନ୍ଦୋଳନକୁ ସମର୍ଥନ କରି ସରକାର ଓ ପ୍ରଶାସନ ଉପରେ ଗର୍ଜି ଥିଲେ |ଏହି ଆନ୍ଦୋଳନ 7ଦିନ ବ୍ୟାପି ହେବାକୁ ଥିବା ବେଳେ ଆଜି ହେଉଛି ଆନ୍ଦୋଳନର ଦ୍ଵିତୀୟ ଦିନ |ନବରଙ୍ଗପୁର ଜିଲ୍ଲାର ଝରିଗାଁ, ଉମରକୋଟ, ଓ ରାଇଘର ବ୍ଲକର ସମସ୍ତ ଚାଷୀକୂଳ ଆଜି ରାଇଘର ମୁଖ୍ୟ ରାସ୍ତାରେ ବସି ଆନ୍ଦୋଳନକୁ ଜୋରଦାର କରିଥିବା ବେଳେ ସନ୍ଧ୍ୟା ସମୟରେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀ ମାନଙ୍କ ପାଖରେ ପହଂଚି ଆଲୋଚନା କରିଥିବା ଜଣାପଡିଛି |ଉପ ଜିଲ୍ଲାପାଳ ଓ RMC ଚାଷୀନେତା ମାନଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ମଧ୍ୟ ଆନ୍ଦୋଳନରୁ ଉଠିନଥିଲେ ଚାଷୀ |ପ୍ରଶାସନ ଯାହା ପ୍ରତିଶୃତି ଦେଉଛନ୍ତି, ତାହା ଲିଖିତ ଆକାରରେ ଦେବା ସହ ଚାଷୀଙ୍କ ଧାନ ଓ ମକା ଉଠେଇଲେ ହିଁ ଆନ୍ଦୋଳନରୁ ଉଠିବେ ବୋଲି ଦାବୀ କରିଥିବା ଜଣା ପଡିଛି |ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରଶାସନ ସହିତ ଆଲୋଚନା କଲା ମଧ୍ୟରେ 80ହଜାର ମେଟ୍ରିକ ଟନ ମକ୍କା ଉଠାଯିବ ବୋଲି ପ୍ରତିଶୃତି ଦେଇଥିଲେ |ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଉ 20ହଜାର ମେଟ୍ରିକ ଟନ ବୃଦ୍ଧି କରିବା ସହିତ ଲିଖିତ ଭାବେ ଦିଅନ୍ତୁ ବୋଲି ଦାବୀ ରଖିଥିବା ଜଣାପଡିଛି |ତେବେ ଏ ଆନ୍ଦୋଳନ କେତେଦିନ ଚାଲିବ ଓ କେଁଉ ମୋଡ଼ ନେବ ତାହା ସମୟ ହିଁ କହିବ |

