ରାଉରକେଲା ୩୧/୧୨,(ଉତ୍କଳ ସମାଚାର) ଜିଲ୍ଲା ବିଜେପିରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା । ଶ୍ରୀମତୀ କେର୍କେଟା ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ରାଉରକେଲା ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିର୍ବାଚିତ ଓ ଦାୟୀତ୍ୱ ନେବା ପରଠାରୁ ଜିଲ୍ଲାକୁ ତୃଣମୂଳ ସ୍ତରରୁ ସଂଗଠନକୁ ଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ନିରନ୍ତର ପ୍ରୟାସ ଓ ବିଶ୍ୱାସ ଜାରି ରଖି କାର୍ଯ୍ୟ କରୁଛନ୍ତି।ଜିଲ୍ଲା ସଭାପତି ହେବା ପରେ ଜିଲ୍ଲାର ପ୍ରଥମ ପଦାଧିଧାରୀଙ୍କ ଲିଷ୍ଟ ଦଳର ନୀତି ନିୟମକୁ ମାନି ଗଠନ କରାଯାଇଛି। ଲିଷ୍ଟ ପ୍ରକାଶିତ କରାଯିବା ପୂର୍ବରୁ ସେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବିଧାୟକ ଶଙ୍କର ଓରାମ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ କଥାବାର୍ତ୍ତା ଓ ପରାମର୍ଶ ଅନୁଯାଇ ଲିଷ୍ଟ ପ୍ରସ୍ତୁତ କରାଯାଇଛି।ଜିଲ୍ଲା ପ୍ରଭାରୀଙ୍କ ସହମତି ଓ ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଏହା ପ୍ରକାଶ କରାଯାଇଛି । ଏଥିରେ କୌଣସି ପ୍ରକାର ମନମୁଖି କାର୍ଯ୍ୟ କରାଯାଇନାହିଁ । ତାଙ୍କୁ ନେଇ ଯେଉଁ ଅଭିଯୋଗ କରାଯାଇଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ, କପୋଳକଳ୍ପିତ ଓ ମନଗଢା । ଏହି ଅଭିଯୋଗକୁ ସେ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହିତ ଏଭଳି କାର୍ଯ୍ୟକ୍ରମରୁ ନିବୃତ୍ତ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ନିଜର ବ୍ୟକ୍ତିଗତ ଅହଂ ଭାବକୁ ବଜାୟ ରଖିବା ପାଇଁ ପାର୍ଟିର ପ୍ରତିଷ୍ଠାକୁ ଆଞ୍ଚ ଆଣିଲା ଭଳି କୌଣସି କାର୍ଯ୍ୟ ନକରିବା ଓ ଭବିଷ୍ୟତରେ ପୁନର୍ବାର ଏଭଳି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ନକରିବା ପାଇଁ ସମସ୍ତ କର୍ମୀଙ୍କୁ ତାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟା ସ୍ପଷ୍ଟିକରଣ ଦେଇ କହିଛନ୍ତି।

