ରାଉରକେଲା ୩୧/୧୨,(ଉତ୍କଳ ସମାଚାର) ଡ୍ରାଇଭର ମହାସଂଘ କାର୍ଯ୍ଯାଳୟ ପାଇଁ ଜମି ଯୋଗାଇ ଦେବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ଓଡିଶା ଡ୍ରାଇଭର ମହାସଂଘ, ସୁନ୍ଦରଗଡ ଜିଲ୍ଲା। ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡିଶା ଡ୍ରାଇଭର ମହାସଂଘର ଏକ କାର୍ଯ୍ଯାଳୟ ରାଉରକେଲା ପାଓ୍ବାର ହାଉସ୍ ରୋଡ ସ୍ଥିତ ପାର୍କିଂରେ ରହିଥିବା ବେଳେ, ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅନ୍ଯାନ୍ଯ ବେଆଇନ ଦୋକାନ ସହିତ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ରାଉରକେଲା ପ୍ରଶାସନ ପକ୍ଷରୁ ଡ୍ରାଇଭର ମହାସଂଘ ପାଇଁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ପ୍ରତିଶ୍ରୁତି ଅନୁଯାୟୀ ବାଲୁଘାଟ ଠାରେ ଓଡିଶା ଡ୍ରାଇଭର ମହାସଂଘ ପାଇଁ ସେମାନେ ଚୟନ କରିଥିବା ଜମିକୁ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଡ୍ରାଇଭର ମହାସଂଘର ସଭାପତି ବି ମାହାନ୍ତ ଏବଂ ସମ୍ପାଦକ ହରିଓମ କେଶରୀଙ୍କ ସମେତ ଡ୍ରାଇଭର ମହାସଂଘର ଅନ୍ଯାନ୍ଯ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

