ରାଉରକେଲା:2//26,(ଉତ୍କଳ ସମାଚାର) ବେଦବ୍ୟାସ ଲାୟନ୍ସ ଚକ୍ଷୁ ଓ ଜେନେରାଲ ହସ୍ପିଟାଲରେ ୨୯୮ ଜଣ ରୋଗୀଙ୍କର ମାଗଣା ଚକ୍ଷୁ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ; ଦାତାମାନଙ୍କୁ ସମ୍ମାନିତ କରାଗଲା।ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ଦ୍ୱାରା ପରିଚାଳିତ ରାଉରକେଲା ବେଦବ୍ୟାସ ଲାୟନ୍ସ ଚକ୍ଷୁ ଓ ଜେନେରାଲ ହସ୍ପିଟାଲ ପରିସରରେ ଆଜି ପୂର୍ବାହ୍ନ ୧୧.୦୦ ଟାରେ ଏକ ଗାରିମାମୟ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର ମାସରେ ଆୟୋଜିତ ଆଇ.ଓ.ଏଲ୍ (ମୋତିଆବିନ୍ଦ) ଶିବିରଗୁଡ଼ିକୁ ସହଯୋଗ କରିଥିବା ଦାତାମାନଙ୍କ ସମ୍ମାନାର୍ଥେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟତଃ ଶ୍ରୀ ରାମନିବାସ ଗୋୟଲ (ଲାୟନ୍ ତରସେମ ଗୋୟଲଙ୍କ ପିତା) ଏବଂ ଶ୍ରୀମତୀ ପ୍ରୀତୁ ଚୁରିୱାଲ ଓ ସୁନ୍ଦରକାଣ୍ଡ ଗ୍ରୁପର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା। ଉକ୍ତ ଦାତାମାନେ ୦୧ ଡିସେମ୍ବର ୨୦୨୫ ରୁ ୩୧ ଡିସେମ୍ବର ୨୦୨୫ ମଧ୍ୟରେ ଆୟୋଜିତ ଆଇ.ଓ.ଏଲ୍ ଶିବିରଗୁଡ଼ିକର ସଫଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।ଡିସେମ୍ବର ମାସ ମଧ୍ୟରେ ହସ୍ପିଟାଲ ପକ୍ଷରୁ ବହୁ ସଂଖ୍ୟାରେ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ମୋଟ ୨୯୮ ଜଣ ରୋଗୀଙ୍କର ମୋତିଆବିନ୍ଦ (ଆଇ.ଓ.ଏଲ୍) ଅସ୍ତ୍ରୋପଚାର ମାଗଣାରେ, ଜି.ଜେ.ଏ.ୱାଇ (GJAY) ଯୋଜନା ଅନ୍ତର୍ଗତ ଏବଂ ରିହାତି ଦରରେ ସଫଳତାର ସହ କରାଯାଇଛି। ଛଅଟି ଭିନ୍ନ ଭିନ୍ନ ଗ୍ରାମରେ ଚକ୍ଷୁ ଶିବିର ଆୟୋଜନ କରାଯାଇ ସେଠାରୁ ବଞ୍ଚିତ ତଥା ଅସହାୟ ରୋଗୀମାନଙ୍କୁ ଅଣାଯାଇ ସେମାନଙ୍କ ଆଖିର ଜ୍ୟୋତି ଫେରାଇ ଅଣାଯାଇଛି।ଏହି ସମ୍ମାନ ସମାରୋହରେ ଲାୟନ୍ ସିଏ ପୱନ ଅଗ୍ରୱାଲ (ଅଧ୍ୟକ୍ଷ), ଲାୟନ୍ ସୁରେଶ କେଜ୍ରିୱାଲ (ହସ୍ପିଟାଲ ଚେୟାରମ୍ୟାନ୍), ଲାୟନ୍ ସିଏ ଅଖିଳ ଶାହ (କୋଷାଧ୍ୟକ୍ଷ), ଲାୟନ୍ ମନୋଜ ଅଗ୍ରୱାଲ (ପ୍ରଥମ ଉପାଧ୍ୟକ୍ଷ) ଏବଂ ଲାୟନ୍ ସତୀଶ ଅଜମେରା (ହସ୍ପିଟାଲର ପୂର୍ବତନ ଚେୟାରମ୍ୟାନ୍)ଙ୍କ ସମେତ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ଦ୍ୱାରା ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଏହି ଅଭିଯାନ ଭବିଷ୍ୟତରେ ମଧ୍ୟ ଜାରି ରହିବ।

