ରାଉରକେଲା:2//26,(ଉତ୍କଳ ସମାଚାର) କଲଚରାଲ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ପୂରାତନ ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ବାଗତ କରିବା ସହିତ ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ସାରସ୍ଵତ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟ ସାଧକ ବିନୋଦ ଶୁକ୍ଳାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁବକବି ଧନଞ୍ଜୟ ମଲ୍ଲିକ ପଲ୍ଲୀ କବିଙ୍କ ଜୀବନୀ ଓ କାବ୍ୟ ଜୀବନ ଉପରେ ଏକ ପ୍ରବନ୍ଧ ପାଠ କରିଥିଲେ। ମୁଖ୍ୟବକ୍ତା ରୂପେ ଅଧ୍ୟାପକ ଡ ନଗେନ ଦାସ “ସାମ୍ପ୍ରତିକ ଓଡ଼ିଆ କବିତାର ସ୍ବର “ ସମ୍ପର୍କରେ ଆଲୋଚନା ରଖି ମାନବବାଦୀ ଚେତନା ମୂଳକ ସାହିତ୍ୟ ସୃଷ୍ଟି ହିଁ ଏକ ଶୋଷଣମୁକ୍ତ ସଦଭାବନାମୂଳକ ସମ୍ବେଦନଶୀଳ ବିଶ୍ଵ ଚୈତନ୍ୟ ଜାଗରିତ କରିପାରିବ ବୋଲି ମନ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ପାରମ୍ପରିକ ସ୍ୱାଦର ପୌରାଣିକତାକୁ ପରିହାର କରି ବିଶ୍ବ ଜୀବନର ଜଳଛବିକୁ କବିତାୟିତ କରିପାରିଲେ ପ୍ରଗତିଶୀଳ କବିତା, ଗଳ୍ପ ଓ ନାଟକର ଉତ୍ତରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ସଭାପତି ଶ୍ରୀ ପତି ପାଠକର ସ୍ମୃତିରେ ଯେଉଁ କବିତା ସ୍ମୃତି ହୋଇ ରହିଯାଏ, ସେହି କାବ୍ୟପୁରୁଷ କାଳଜୟୀ ଓ ସେ କବିତା କାଳୋତୀର୍ଣ୍ଣ ହୋଇ ରହିଯାଏ ବୋଲି ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ବକ୍ତାମାନଙ୍କର ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ କରିଥିଲେ।କବୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ,ପରେଶ ବିଶ୍ବାଳ,ଧୋବେଇ ବେହେରା, ଅଙ୍ଗୁରବାଳା ପରିଡ଼ା, ଅକ୍ଷୟ ସାମଲ, ଅଶୋକ ପଟ୍ଟନାୟକ, ଅର୍ଚ୍ଚନା ପାତ୍ର, ବଳରାମ ରାଉଳ, ବିଜୟିନୀ ଜେନା,ଗଗନ ବିହାରୀ ନାୟକ, ଶ୍ରୀଧର ସୁନା, ଶଶୀଭୂଷଣ ଦାସ, ଗୀତାରାଣୀ ବେହେରା, ଗଙ୍ଗାଧର ପୁହାଣ, ସତ୍ୟନାରାୟଣ ଦାସ,ପ୍ରତାପ କୁମାର ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।ଏହି ସାରସ୍ବତ ସନ୍ଧ୍ୟାରେ ପ୍ରମୁଖ ସାହିତ୍ୟକାର ଡକ୍ଟର ସୁମନ ଦତ୍ତ,ଗଗନ ବିହାରୀ ଧଳ, କାଶୀନାଥ ପାତ୍ର, ଅକ୍ଷୟ କୁମାର ପଣ୍ଡା, ବାସୁଦେବ ସାହୁ, ସୁକାନ୍ତ କୁମାର ଖୁଣ୍ଟିଆ, ପଶୁପତିନାଥ ଚାଟାର୍ଜୀ, ଶିବପ୍ରସାଦ ଦାସ, କିଶୋର ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ମହାଳି, ଅକ୍ଷୟ ସାମଲ ବିଜୟିନୀ ଓ ପ୍ରବୀର କୁମାର ଦୁବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ପରିଶେଷରେ କବି ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

