ରାଉରକେଲା:5//1,(ଉତ୍କଳ ସମାଚାର) ସ୍ଥାନୀୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ମହ୍ଲାର, ରାଉରକେଲା ଆୟୋଜନରେ ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’ ସଫଳତା ସହିତ ଆୟୋଜିତ ହୋଇଯାଇଛି। ସୁଶ୍ରୀ ବର୍ଷାରାଣୀ ପଣ୍ଡାଙ୍କ ଆବାହକତ୍ଵ ରେ ଗବେଷକ ତଥା ସ୍ୱର୍ଣ୍ଣପଦକ ପ୍ରାପ୍ତ ଉସ୍ତାଦ ବିସ୍ମିଲ୍ଲା ଖାଁ ପୁରସ୍କାରରେ ସମ୍ମାନିତ କଳାକାର ସର୍ବେଶ୍ୱର ଭୋଇ ବିଶେଷ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟା ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଖ୍ୟାତନାମା ନୃତ୍ୟ ସଂସ୍ଥା ଓ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଅନିଲ କୁମାର ମଲ୍ଲିକ ଓ ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ସଂଯୋଜନାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ନନ୍ଦିନୀ ମୁଣ୍ଡାରି ଓ ଖ୍ୟାତନାମା ନାଟ୍ୟ ଅଭିନେତା ନିର୍ଦ୍ଦେଶକ ଡ଼ ସମର ମୁଦାଲି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁ ଡ ମନୋରଞ୍ଜନ ପ୍ରଧାନ ଙ୍କୁ ଶାସ୍ତ୍ରୀୟ କୀର୍ତ୍ତି ସମ୍ମାନ, ସର୍ବେଶ୍ଵର ଭୋଇ ଙ୍କୁ ଲୋକକଳା ସମ୍ମାନ ଓ ଶୁଭଶ୍ରୀ ଦାସଙ୍କୁ ଯୁବ କୀର୍ତ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ଵାରା ସ୍ମାରକ ପତ୍ରିକା ‘ଶିଖର’ ଉନ୍ମୋଚନ କରାଯାଇଥିଲା।ସମାପନୀ ଅଭିଭାଷଣରେ ସୁଶ୍ରୀ ବର୍ଷାରାଣୀ ପଣ୍ଡା, ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ସମସ୍ତ ଅତିଥି, କଳାକାର, ଅଂଶଗ୍ରହଣକାରୀ, ଅଭିଭାବକ ଓ ଦର୍ଶକମାନଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ।ଏହି ମହୋତ୍ସବର ସଫଳ ଆୟୋଜନରେ ସଂସ୍ଥାର ସଚିବ ଅମନ ଶ୍ରୀବାସ୍ତବ ଭୁୟାଁଙ୍କ ସହ ଶିବାଶିଷ ପାତ୍ର, ସୁଭା ପ୍ରିୟଦର୍ଶିନୀ ପୁରୀ, ସୁଭାଙ୍ଗୀ ପାତ୍ର, ରାଜଲକ୍ଷ୍ମୀ ଦାସ, ସ୍ନେହାଞ୍ଜଳି ପଣ୍ଡା ଓ ସଂସ୍ଥାର ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

