ରାଉରକେଲା ୬/୧,(ଉତ୍କଳ ସମାଚାର) ଛେଣ୍ଡ ଅଞ୍ଚଳରୁ ଏକ ଘରୁ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ରାଉରକେଲା ପୋଲିସ୍। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର ଅନୁଯାୟୀ, ଗତ ୨୦୨୫ ଡିସେମ୍ବର ୨୨ ତାରିଖ ରାତି ପ୍ରାୟ ୧୦ଟା ସମୟରେ, ଛେଣ୍ଡ ଥାନା ଅନ୍ତର୍ଗତ ଫେଜ୍-୧, ପ୍ଲଟ୍ ନଂ. ଏଲ୍-୬୬ର ବାସିନ୍ଦା ନୀଳାଞ୍ଚଳ ମହାପାତ୍ରଙ୍କ ପତ୍ନୀ ସନ୍ଧ୍ୟାରାଣୀ ମହାପାତ୍ର (୪୨), ନିଜ ପରିବାର ସହ ଶୀତକାଳୀନ ଛୁଟି କାଟିବା ପାଇଁ ଭୁବନେଶ୍ୱର ଯାଇଥିଲେ। ସେମାନେ ୨୦୨୬ ଜାନୁଆରୀ ୨ ତାରିଖ ଭୋର ପ୍ରାୟ ୪ଟା ୧୫ ସମୟରେ ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ତାଙ୍କ ମୁଖ୍ୟ ଦ୍ୱାରର ତାଲା ଏବଂ ଆଲମିରା ଭଙ୍ଗା ହୋଇଛି। ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଦୁର୍ବୃତ୍ତମାନେ ନଗଦ ୩୦,୦୦୦ ଟଙ୍କା ସମେତ ରୂପା ଥାଳି, ଦୁଇ ଯୋଡା ରୂପା ପାଉଁଜି, ସାତ ଯୋଡା ରୂପା ଗୋଡ ମୁଦି (foot rings), ଚାରୋଟି ରୂପା କାନ ଫୁଲ ଏବଂ ୨ଟି ହାତଘଣ୍ଟା ଚୋରି ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଥିଲା। ଅଭିଯୋଗ ପରେ ଛେଣ୍ଡ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ସୁନ୍ଦରଗଡ ଜିଲ୍ଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ୱାର୍ଡ ନଂ ୯ର ବାସିନ୍ଦା ଚନ୍ଦନ ସିଂ (୩୩) ଏବଂ କାଶୀନାଥ ମାଝୀ (୩୬)ଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଆଧାରରେ ପୋଲିସ୍ ଗୋଟିଏ ରୂପା ଥାଳି ଓ ଦୁଇଟି ରୂପା ଗିନା ଦୁଇ ଯୋଡା ରୂପା ପାଉଁଜି ଓ ୧୪ଟି ରୂପା ଗୋଡ ମୁଦି, ଛଅଟି ରୂପା କାନ ଫୁଲ ଓ ଗୋଟିଏ ରୂପା ହାତ ମୁଦି, ଗୋଟିଏ ସୁନେଲି ରଙ୍ଗର ହାତଘଣ୍ଟା ଏବଂ ବିଭିନ୍ନ ମୂଲ୍ୟର ନଗଦ ୩,୦୦୦ ଟଙ୍କା ସହିତ ଅପରାଧରେ ବ୍ୟବହୃତ ଏକ ହୋଣ୍ଡା ଗ୍ରାଜିଆ ସ୍କୁଟର (ନମ୍ବର: OD14 AB 4389)କୁ ମଧ୍ୟ ପୋଲିସ ଜବତ କରିଛି। ଅନ୍ୟ କୌଣସି ଚୋରି ମାମଲାରେ ଏହି ଅଭିଯୁକ୍ତମାନଙ୍କ ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

