ରାଇଘର:ନରସିଂବାଘ. (ଉତ୍କଳ ସମାଚାର) ୦୭/୦୧.ବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନ୍ଧିନଗର ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଇ ଆଜି ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଶୁଭ ଅବସରରେ ଝରିଗାଁ ବିଧାୟକ ନରସିଂହ ଭତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି, ମନ୍ତ୍ରୀ ପ୍ରତିନିଧି, ବିଧାୟକ ପ୍ରତିନିଧି, ଜିଲ୍ଲାପାଳ ଡ଼ା. ମହେଶ୍ୱର ସୁଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ରାଇଘର ତହସିଲଦାର ରିତୁ ସିଂ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ପ୍ରମୁଖ ଉପସ୍ଥିତ ଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ରାଜ୍ୟର ୧୧୮ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନୀ, ଶିକ୍ଷା ଓ ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ।ମଞ୍ଚାସିନ ଅତିଥିମାନେ କହିଥିଲେ ଯେ ପଣ୍ଡିତ ଗୋଦାବରୀଶ ମିଶ୍ର ଜଣେ କବି, ଲେଖକ, ଗାଳ୍ପିକ, ନାଟ୍ୟକାର, ଉପନ୍ୟାସିକ, ଗାଥାକାର ଓ ଜଣେ ଆଦର୍ଶ ଶିକ୍ଷକ ଥିଲେ। ସେ ସତ୍ୟବାଦୀ ବନ ବିଦ୍ୟାଳୟରେ ଆଦର୍ଶ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ସହ ପଞ୍ଚସଖାମାନଙ୍କ ମଧ୍ୟରେ ଜଣେ ଥିଲେ ବୋଲି ସେମାନେ ଉଲ୍ଲେଖ କରିଥିଲେ।ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିବା କଥା ଅତିଥିମାନେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଚନ୍ଦହାଣ୍ଡି, ଉମରକୋଟ, ରାଇଘର, ତେନ୍ତୁଳୀଖୁଣ୍ଟି ସହ ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ଶେଷରେ ଗୋନ୍ଧିନଗର ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା।

